Latest Odisha News

BREAKING NEWS

INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(SIR) ବା ପ୍ରକ୍ରିୟାକୁ ନେଇ ବିବାଦ ମଧ୍ୟରେ ବୁଧବାର ଦିଲ୍ଲୀରେ ବସିଛି INDIA ବ୍ଲକ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ SIR ପ୍ରସଙ୍ଗରେ ଆଗାମୀ ଆନ୍ଦୋଳନର ରଣନୀତି ନେଇ ବୈଠକରେ ଆଲୋଚନା ହେଉଛି।

କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟ ନେତା ଯୋଗ ଦେଇଥିବା ବେଳେ ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି। RJDର ତେଜସ୍ୱୀ ଯାଦବ, ନ୍ୟାସନାଲ କନଫରେନ୍ସର ଓମାର ଅବଦୁଲ୍ଲା, PDPର ମେହବୁବା ମୁଫତି, NCP(SP)ର ସୁପ୍ରିୟା ସୁଲେ, CPIର ଡି. ରାଜା ଓ CPI(M)ର ଏମ୍‌.ଏ. ବେବିଙ୍କ ସମେତ ବିଭିନ୍ନ ବିରୋଧୀ ଦଳର ନେତାମାନେ ଯୋଗ ଦେଇଛନ୍ତି। ହେମନ୍ତ ସୋରେନ୍ ଭିଡିଓ କନଫରେନ୍ସିଂରେ ଏବଂ ଉଦ୍ଧବ ଠାକରେ ଭର୍ଚୁଆଲ୍ ଭାବେ ଯୋଗ ଦେବାର ସମ୍ଭାବନା ରହିଛି। ତେବେ ଆମ୍ ଆଦମୀ ପାର୍ଟି ଏହି ବୈଠକରେ ଯୋଗ ଦେଇନାହିଁ। ଅଖିଳେଶ ଯାଦବ ମଧ୍ୟ ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନ ନାମାଙ୍କନ କାର୍ଯ୍ୟକ୍ରମ ଯୋଗୁଁ ଅନୁପସ୍ଥିତ ରହିଛନ୍ତି। ତାଙ୍କ ଦଳର ଦୁଇ ସାଂସଦ ବୈଠକରେ ଯୋଗ ଦେଇଛନ୍ତି।

କଂଗ୍ରେସ କହିଛି, SIR ପ୍ରକ୍ରିୟା ସ୍ଥଗିତ କରିବା ଏବଂ ଭୋଟର ତାଲିକାରୁ ବାଦ ପଡ଼ିଥିବା ବୋଲି ଦଳ ଦାବି କରୁଥିବା ୧୩.୩୦ କୋଟି ନାମ ପୁନଃସ୍ଥାପନ କରିବା ଦରକାର। ଏଥିସହ CECଙ୍କୁ ହଟାଇବା ପାଇଁ ସଂସଦରେ ରିମୁଭାଲ୍ ମୋସନ୍‌ ଆଣିବା ନେଇ ମଧ୍ୟ ଆଲୋଚନା ହେବ। DMK ବୈଠକରେ ନ ଥିଲେ ମଧ୍ୟ, ଏଭଳି ମୋସନ୍‌କୁ ସଂସଦରେ ସମର୍ଥନ କରିବ ବୋଲି କହିଛି। ଏହି ବିବାଦ ମଧ୍ୟରେ ଇଲେକ୍ସନ୍ କମିଶନ୍ କହିଛି ଯେ କମିଶନ ଭିତରେ ଭିନ୍ନ ମତ ଓ ଆପତ୍ତି ରହିବା ସାଧାରଣ ପ୍ରକ୍ରିୟା ଏବଂ ତାହାର ନିଷ୍ପତ୍ତି ଆଇନ ଓ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ନିଆଯାଇଛି।

ଏହି ବୈଠକରେ ବିରୋଧୀ ଦଳଗୁଡ଼ିକ SIRକୁ ନେଇ ନିଜ ଆଗାମୀ ରଣନୀତି ଉପରେ ଆଲୋଚନା କରିବେ। ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା କିମ୍ବା ତାଙ୍କୁ ପଦରୁ ହଟାଇବା ପାଇଁ ସଂସଦରେ ପ୍ରସ୍ତାବ ଆଣିବା ନେଇ ମଧ୍ୟ ଦଳଗୁଡ଼ିକ ନିଜ ରଣନୀତି ନିର୍ଦ୍ଧାରଣ କରିପାରନ୍ତି। ଏଥିସହ SIRକୁ ସ୍ଥଗିତ ରଖିବା ଏବଂ ଭୋଟର ତାଲିକାରୁ ବାଦ ପଡ଼ିଥିବା ନାମଗୁଡ଼ିକୁ ପୁଣି ଯୋଡ଼ିବା ଦାବିକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ ଓ ସଂସଦ ଭିତରେ ଚାପ ବଢ଼ାଇବା ଉପରେ ମଧ୍ୟ ଚର୍ଚ୍ଚା ହେବ। ତେବେ ଏହି ବୈଠକ ପରେ ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ କେଉଁ ପଦକ୍ଷେପ ନେବେ, ତାହା ସ୍ପଷ୍ଟ ହେବ।

ସେପଟେ ବୈଠକ ପୂର୍ବରୁ କେନ୍ଦ୍ରୀୟ ଦିଲ୍ଲୀରେ ରାଜନୈତିକ ତାତି ମଧ୍ୟ ବଢ଼ିଥିବା ଦେଖିବାକୁ ମିଳିଛି। INDIA ବ୍ଲକ୍‌ର ନେତାମାନେ ବୈଠକ ପାଇଁ ଏକାଠି ହେବା ପୂର୍ବରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିରୋଧୀ ଦଳର ନେତାମାନଙ୍କୁ ଟାର୍ଗେଟ୍‌ କରି କିଛି ହୋର୍ଡିଂ ଲଗାଯାଇଥିବା ଖବର ସାମ୍ନାକୁ ଆସିଛି। ଏହି ହୋର୍ଡିଂଗୁଡ଼ିକରେ ବିରୋଧୀ ନେତାମାନଙ୍କୁ ନେଇ ରାଜନୈତିକ ବାର୍ତ୍ତା ଓ ଆପତ୍ତି ଉଠାଯାଇଥିବା ଦେଖାଯାଇଛି। INDIA ବ୍ଲକ୍‌ର ବୈଠକ ଓ CEC ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀଙ୍କ ଦାବି ମଧ୍ୟରେ ଏହି ହୋର୍ଡିଂକୁ ନେଇ ଦିଲ୍ଲୀର ରାଜନୈତିକ ମାହୋଲ ଆହୁରି ସରଗରମ ହୋଇଛି।

Leave A Reply

Your email address will not be published.