Latest Odisha News

BREAKING NEWS

Chambal to UPSC: ଜେଜେ ଚମ୍ବଲର ଡକାୟତ! ନାତି ବାଛିଲେ ଅଲଗା ରାସ୍ତା; UPSCରେ ସଫଳ ହୋଇ ଏବେ ସିଭିଲ ସର୍ଭିସରେ

ମୋରେନା: ଜେଜେ ଥିଲେ ଚମ୍ବଲର ବାଗୀ, ପରିବାରରେ ଥିଲା ଡକାୟତିର ଇତିହାସ। ହେଲେ ନାତି ବାଛିଲେ ସମ୍ପୂର୍ଣ୍ଣ ଭିନ୍ନ ରାସ୍ତା। ଗାଁରୁ ପାଠପଢ଼ା ଆରମ୍ଭ କରି IITରେ ପଢ଼ିଲେ, ନେଦରଲ୍ୟାଣ୍ଡରେ ଚାକିରି କଲେ ଏବଂ ଶେଷରେ UPSC ପାସ୍ କରି ସିଭିଲ ସର୍ଭିସରେ ସାମିଲ ହେଲେ। ଏହା ହେଉଛି ମଧ୍ୟପ୍ରଦେଶର ମୋରେନା ଜିଲ୍ଲାର ଚମ୍ବଲ ଅଞ୍ଚଳର ଦେବ ପ୍ରଭାକର ସିଂହ ତୋମରଙ୍କ କାହାଣୀ।

ଦେବ ଏକ ଜୋସ୍ ଟକ୍ କାର୍ଯ୍ୟକ୍ରମରେ ନିଜ ଯାତ୍ରା ବିଷୟରେ କହିଛନ୍ତି। ତାଙ୍କ କହିବା ଅନୁସାରେ, ପ୍ରାୟ ୭୫ ବର୍ଷ ପୂର୍ବେ ପରିବାରିକ ସମସ୍ୟା ଓ ସେତେବେଳର ପ୍ରଶାସନ ସହ ବିବାଦ ପରେ ତାଙ୍କ ଜେଜେ ‘ବାଗୀ’ ହୋଇଥିଲେ। ସ୍ଥାନୀୟ ଭାଷାରେ ତାଙ୍କୁ ବାଗୀ କୁହାଯାଉଥିଲେ ମଧ୍ୟ ପୋଲିସ ରେକର୍ଡରେ ଡକାୟତ ଭାବେ ଉଲ୍ଲେଖ ଥାଇପାରେ ବୋଲି ଦେବ କହିଛନ୍ତି। ପରେ ତାଙ୍କ ଜଣେ ଦାଦା ମଧ୍ୟ ବାଗୀ ହୋଇଥିଲେ। ଏହି ସମୟରେ ପରିବାରକୁ ଅନେକ ଅଭାବ ଦେଖିବାକୁ ପଡ଼ିଥିଲା।

କିନ୍ତୁ ଦେବଙ୍କ ବାପା ଏହି ଜୀବନରୁ ଦୂରେଇ ଯିବାକୁ ଚାହିଁଥିଲେ। ସେ ଘର ଛାଡ଼ି ଗ୍ୱାଲିଅର ଯାଇ ପାଠପଢ଼ିଲେ ଏବଂ ପରେ ଶିକ୍ଷକ ହେଲେ। ବାପାଙ୍କ ଏହି ପରିବର୍ତ୍ତନର ରାସ୍ତାରେ ହିଁ ଦେବ ମଧ୍ୟ ଆଗକୁ ବଢ଼ିଥିଲେ। ଦେବ ପ୍ରଥମ ୫ ବର୍ଷ ମଧ୍ୟପ୍ରଦେଶ ବୋର୍ଡରେ ପଢ଼ିବା ପରେ ଷଷ୍ଠ ଶ୍ରେଣୀରୁ CBSE ସ୍କୁଲରେ ପଢ଼ିଥିଲେ। ଗ୍ରାମୀଣ ପରିବେଶରୁ ଆସିଥିବାରୁ ନୂଆ ସ୍କୁଲ ଓ ଭାଷା ସହ ଖାପ ଖୁଆଇବା ତାଙ୍କ ପାଇଁ ସହଜ ନଥିଲା। ଏକାଦଶ ଶ୍ରେଣୀରେ ସେ IIT ବିଷୟରେ ଚିନ୍ତା କରିଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ କୋଚିଂ ପାଇଁ କୋଟା ଯାଇପାରିନଥିଲେ। ଘରେ ନିଜେ ପଢ଼ି ଦ୍ୱାଦଶ ପରୀକ୍ଷା ସହ IIT ପ୍ରବେଶିକା ଦେଇ IIT ରୋପରରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢ଼ିଥିଲେ।

IIT ପରେ ଦେବ ନେଦରଲ୍ୟାଣ୍ଡରେ ଫିଲିପ୍ସରେ ଚାକିରି କରିଥିଲେ। ଆମଷ୍ଟରଡାମ ନିକଟରେ କାମ କରୁଥିବା ସମୟରେ ମଧ୍ୟ ତାଙ୍କ ମନରେ UPSC ପରୀକ୍ଷା ଦେବାର ଇଚ୍ଛା ରହିଥିଲା। ଶେଷରେ ଚାକିରି ଛାଡ଼ି ଭାରତ ଫେରି UPSC ପାଇଁ ପ୍ରସ୍ତୁତି ଆରମ୍ଭ କଲେ।

ପ୍ରଥମ ପ୍ରୟାସରେ ପ୍ରିଲିମ୍ସ କଟ୍‌ଅଫ୍‌ଠାରୁ ୧୨.୫ ମାର୍କ କମ୍ ରହିଗଲେ। ଦ୍ୱିତୀୟ ଥର ମଧ୍ୟ ୨.୫ ମାର୍କ ପାଇଁ ପ୍ରିଲିମ୍ସରେ ବିଫଳ ହେଲେ। ପରେ ପ୍ରସ୍ତୁତି ପ୍ରଣାଳୀ ବଦଳାଇ ପରୀକ୍ଷାକୁ ଧ୍ୟାନରେ ରଖି ପଢ଼ିଲେ। ଅନେକ ପ୍ରୟାସ ପରେ UPSC ପ୍ରିଲିମ୍ସ ଓ ମେନ୍ସ ପାସ୍ କରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ପହଞ୍ଚିଥିଲେ। ଗୋଟିଏ ଥର ଫାଇନାଲ ଲିଷ୍ଟରେ ନାଁ ଆସିନଥିଲା। ପରେ ଦିଲ୍ଲୀରେ ଶିକ୍ଷକ ଭାବେ କାମ କରିବା ସହ ପ୍ରସ୍ତୁତି ଜାରି ରଖିଥିଲେ।

ଶେଷରେ UPSC ୨୦୨୫ରେ AIR ୬୨୯ ହାସଲ କଲେ ଦେବ ପ୍ରଭାକର ସିଂହ ତୋମର। ତାଙ୍କୁ ଭାରତୀୟ ରେଳ ବିଭାଗରେ IRTSରେ ଚୟନ କରାଯାଇଛି ଏବଂ ସେ ବର୍ତ୍ତମାନ ରେଳ ମନ୍ତ୍ରାଳୟରେ କାର୍ଯ୍ୟରତ ଅଛନ୍ତି।

ତେବେ ଜେଜେଙ୍କ ଜୀବନ ଥିଲା ବନ୍ଧୁକ ଓ ବାଗୀର ରାସ୍ତାରେ, ବାପା ଶିକ୍ଷକ ହେଲେ ଆଉ ନାତି IIT ପରେ UPSC ପାସ୍ କରି ସରକାରୀ ସେବାରେ ପହଞ୍ଚିଲେ, ଏହି କାହାଣୀ ଏବେ ଇଣ୍ଟରନେଟରେ ଭାଇରାଲ ହୋଇଥିବା ବେଳେ ତିନି ପିଢ଼ିର ଏହି ପରିବର୍ତ୍ତନ ଏବେ ଚର୍ଚ୍ଚାରେ।

Leave A Reply

Your email address will not be published.