Latest Odisha News

BREAKING NEWS

ସେହ୍ୱାଗଙ୍କ ପୁଅଙ୍କୁ ପ୍ରଦାନ କରାଗଲା ଦିଲ୍ଲୀ ଟିମର ବଡ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତର ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର‌୍ୟ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି । ଡିଡିସିଏ  ଆଗାମୀ  ଭିନୁ ମଙ୍କଡ ଟ୍ରଫି ପାଇଁ ଆର‌୍ୟ୍ୟବୀରଙ୍କୁ ଦିଲ୍ଲୀ ପୁରୁଷ ଅଣ୍ଡର-୧୯ ଟିମ୍‌ର ଅଧିନାୟକ  ଭାବେ ଘୋଷଣା କରିଛି ।  ଡିଡିସିଏର ଜୁନିୟର ପୁରୁଷ ଚୟନ କମିଟି ବୈଠକ ପରେ ୧୬ ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୮ ରୁ ବିଶାଖାପାଟଣାରେ ଖେଳାଯିବ, ଯେଉଁଠାରେ ଦିଲ୍ଲୀର ଯୁବ ଟିମ୍ ଆର‌୍ୟ୍ୟବୀରଙ୍କ ନେତୃତ୍ୱରେ ପଦାର୍ପଣ କରିବ । ଟିମ୍‌ରେ ଅର୍ଣ୍ଣବ ବୁଗ୍ଗାଙ୍କୁ ଉପ-ଅଧିନାୟକ କରାଯାଇଛି । ଆର‌୍ୟ୍ୟବୀର ସେହୱାଗ ନିକଟରେ ଆନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଗତ ମାସରେ ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ଦିନିକିଆ ସିରିଜ୍‌ରେ ସେ ଭାରତୀୟ ଅଣ୍ଡର-୧୯ ଟିମ୍‌ରେ ଡେବ୍ୟୁ କରିଥିଲେ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ସେ ୨୮, ଦ୍ୱିତୀୟ ମ୍ୟାଚ୍‌ରେ ୪୭, ତୃତୀୟ ମ୍ୟାଚ୍‌ରେ ସେ ୩୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ପାରି ଖେଳିଥିଲେ । ୧୮ ବର୍ଷୀୟ ଆର‌୍ୟ୍ୟବୀରଙ୍କ ପାଖରେ ସିନିୟର ସ୍ତରର ଟି୨୦ କ୍ରିକେଟ୍‌ର ଅଭିଜ୍ଞତା ମଧ୍ୟ ରହିଛି । ସେ ଏହି ବର୍ଷ ଦିଲ୍ଲୀ ପ୍ରିମିୟର ଲିଗରେ ୱେଷ୍ଟ ଦିଲ୍ଲୀ ଲାୟନ୍ସ ଫ୍ରାଞ୍ଚାଇଜ୍‌ର ଅଂଶ ଥିଲେ, ଯେଉଁଠାରେ ସେ ୨ଟି ମ୍ୟାଚ୍ ଖେଳି ୨୪ ରନ୍ କରିଥିଲେ । ସିନିୟର ଖେଳାଳିଙ୍କ ସହ ଡ୍ରେସିଂ ରୁମ୍ ସେୟାର କରିବାର ଅଭିଜ୍ଞତା ଏବେ ଅଣ୍ଡର-୧୯ ସ୍ତରରେ ନେତୃତ୍ୱ ନେବାରେ ତାଙ୍କୁ ସାହାଯ୍ୟ କରିବ । ଏହି କାରଣରୁ ଡିଡିସିଏ ଏହି ବଡ଼ ନିଷ୍ପତ୍ତି ନେଇଛି ।

ଭିନୁ ମଙ୍କଡ ଟ୍ରଫି ପାଇଁ ଦିଲ୍ଲୀର ୧୬ ଜଣିଆ ଟିମ୍: ଆର‌୍ୟ୍ୟବୀର ସେହୱାଗ (ଅଧିନାୟକ), ତନ୍ମୟ ଚୌଧୁରୀ, ଅର୍ଣ୍ଣବ ବୁଗ୍ଗା (ଉପ-ଅଧିନାୟକ), ଧନ୍ୟ ନକଡ଼ା, ଉଦୟ ଚାୱଲା, ଗର୍ବ କୁମାର, ଅଭିରାଜ ଗଗନ ସିଂହ (ୱିକେଟକିପର), ତରୁଣ ସିଂହ (ୱିକେଟକିପର), ଆର‌୍ୟ୍ୟନ ଶର୍ମା, ଓଜସଦୀପ ସିଂ, କିରୀଟ କୌଶିକ, ବରୁଣ ୱଞ୍ଜାନୀ, ରୁଦ୍ର ଦେବ ଯାଦବ, ପ୍ରଦ୍ୟୁମ୍ନ ସାନନ, ପାର୍ଥ ରାଜ, ଶାନ୍ତନୁ ଯାଦବ ।

Leave A Reply

Your email address will not be published.