Latest Odisha News

BREAKING NEWS

ଲାଞ୍ଚ ନେଇ ଫସିଲେ ଆରଆଇ, ପ୍ରମାଣପତ୍ର ପାଇଁ ୫ ହଜାର…

ଭୁବନେଶ୍ୱର: ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ ପାଇଁ ତଦନ୍ତ ରିପୋର୍ଟ ଆଗକୁ ବଢ଼ାଇବା ନିମନ୍ତେ ୫,୦୦୦ ଟଙ୍କା  ଲାଞ୍ଚ ନେଉଥିବା ବେଳେ ସୋମବାର ଦିନ ଓଡ଼ିଶା ଭିଜିଲାନ୍ସ ବିଭାଗ ଭୁବନେଶ୍ୱରର ୟୁନିଟ୍-୬ ଅନ୍ତର୍ଗତ କେଶରୀ ନଗର ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ନିରଞ୍ଜନ ସିଂହଙ୍କୁ ଗିରଫ କରିଛି।

ଭିଜିଲାନ୍ସର ସୂଚନା ଅନୁଯାୟୀ, ନିଜ ମା’ ଓ ସାନ ଭାଇଙ୍କ ମୃତ୍ୟୁ ପରେ ଆବେଦନକାରୀ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ସେପ୍ଟେମ୍ବର ୯ ତାରିଖରେ ଉକ୍ତ ପ୍ରମାଣପତ୍ର ପାଇଁ ଅନଲାଇନ୍‌ରେ ଆବେଦନ କରିଥିଲେ। ଏହାପରେ ସେ ରାଜସ୍ୱ ନିରୀକ୍ଷକଙ୍କୁ ତିନି କିମ୍ବା ଚାରି ଥର ଭେଟି ତଦନ୍ତ ରିପୋର୍ଟକୁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇବା ପାଇଁ ଅନୁରୋଧ କରିଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ କୌଣସି ଯୁକ୍ତିଯୁକ୍ତ କାରଣ ବିନା ଏହି ପ୍ରକ୍ରିୟାରେ ବିଳମ୍ବ କରିଥିଲେ ଏବଂ ଆବେଦନକୁ ଅନଲାଇନ୍‌ରେ ଅନୁମୋଦନ କରିବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।

ଏହି ଦାବିରେ ଅତିଷ୍ଠ ହୋଇ ଆବେଦନକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ତଦନୁଯାୟୀ, ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ସମ୍ପୃକ୍ତ ଅଧିକାରୀଙ୍କୁ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଧରିଥିଲା।

ଏହି ଘଟଣା ପରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲାର ତଦନ୍ତ ପରିପ୍ରେକ୍ଷୀରେ ଭିଜିଲାନ୍ସ ଟିମ୍ ତାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଚଢ଼ଉ ଜାରି ରଖିଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.