Latest Odisha News

BREAKING NEWS

Imran Khan’s release protest:ଇମ୍ରାନଙ୍କ ମୁକ୍ତି ଦାବିରେ ବିକ୍ଷୋଭ ତୀବ୍ର; ଇସଲାମାବାଦରେ ଧାରା ୧୪୪ ଲାଗୁ, ୨,୦୦୦ କର୍ମୀ ଗିରଫ

ନୂଆଦିଲ୍ଲୀ:ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ ମୁକ୍ତ କରିବା ଦାବିରେ ପୁଣିଥରେ ବ୍ୟାପକ ବିକ୍ଷୋଭ ଆରମ୍ଭ ହୋଇଛି। ଇମ୍ରାନ୍ ଖାନ୍‌ଙ୍କ ଦଳ ‘ପାକିସ୍ତାନ ତେହରିକ୍-ଏ-ଇନ୍‌ସାଫ୍’ (PTI) ନେତୃତ୍ୱରେ ଏକ ବିଶାଳ ରାଲି ଖୈବର ପଖତୁନଖ୍ୱାରୁ ଇସଲାମାବାଦ ଅଭିମୁଖେ ଅଗ୍ରସର ହେଉଛି।ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଏହି ପଦଯାତ୍ରା ଆରମ୍ଭ କରାଯାଇଛି। ଏହି ସମୟରେ ଇସଲାମାବାଦରେ ଧାରା ୧୪୪ ଲାଗୁ କରାଯାଇଛି ଏବଂ କାହାକୁ ବି ସହରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।

ଏବେ ଆସିମ୍ ମୁନିରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରଶ୍ନ ହେଉଛି, ଏହି ପଦଯାତ୍ରା ଇସଲାମାବାଦ୍ ପହଞ୍ଚିବ ନା ସରକାର ଏହାକୁ ଅଧାବାଟରେ ଅଟକାଇ ଦେବେ।

ଏହା ପୂର୍ବରୁ, ଶନିବାର ଅପରାହ୍ନ ୪ଟାରେ ସରକାରୀ ପ୍ରତିନିଧି ଏବଂ ଇମ୍ରାନ ଖାନ୍‌ଙ୍କ ଦଳର ନେତାଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇ ରାତିସାରା ଚାଲିଥିଲା। ରବିବାର ଭୋର ସମୟରେ କୌଣସି ସହମତି ବିନା ଏହି ଆଲୋଚନା ଶେଷ ହୋଇଥିଲା।

ଖୈବର ପଖ୍ତୁନଖ୍ୱାର ଲକ୍କି ମାରୱାତଠାରୁ ପିଟିଆଇ (PTI) ସମର୍ଥକମାନେ ଏକ ‘ଲଙ୍ଗ୍ ମାର୍ଚ୍ଚ’ (ପଦଯାତ୍ରା) ଆରମ୍ଭ କରିଛନ୍ତି। ହଜାର ହଜାର ଲୋକ ପ୍ରାୟ ୨୭୫ କିଲୋମିଟର ଦୂରରେ ଥିବା ଇସଲାମାବାଦ ଅଭିମୁଖେ ଯାତ୍ରା କରୁଛନ୍ତି। ଇମ୍ରାନଙ୍କ ଦଳ ‘ପିଟିଆଇ’ର କର୍ମୀମାନଙ୍କ ଉପରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି; ଦଳର ଦାବି ଅନୁଯାୟୀ,ତାଙ୍କର ପ୍ରାୟ ୨,୦୦୦ କର୍ମୀଙ୍କୁ ଗିରଫ କରାଯାଇଛି। ଏହି ସମୟରେ, ଇସଲାମାବାଦରେ ସଂସଦ ଏବଂ ରାଜପଥଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ସିପିଂ କଣ୍ଟେନର ବ୍ୟବହାର କରି ଅନେକ ରାସ୍ତାକୁ ଅବରୋଧ କରାଯାଇଛି।

ପାକିସ୍ତାନ ତେହରିକ୍-ଏ-ଇନସାଫ୍ (PTI) ସେପ୍ଟେମ୍ବର ୨୭ ତାରିଖରେ ଇସଲାମାବାଦ ଅଭିମୁଖେ ଏକ ଶୋଭାଯାତ୍ରା ଆୟୋଜନ କରିବାକୁ ଘୋଷଣା କରିଥିଲା, କିନ୍ତୁ ବିକ୍ଷୋଭକୁ ଦବାଇବା ପାଇଁ ଶାହବାଜ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କଠୋର ପଦକ୍ଷେପ ଯୋଗୁଁ ଏହାକୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ଏହା ପାକିସ୍ତାନ ସରକାରଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ମଧ୍ୟ ପକାଇଛି। PTI ନେତାମାନେ ଜେଲ୍‌ରେ ଇମ୍ରାନ ଖାନଙ୍କୁ ଭେଟିବା ଏବଂ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜଣେ ଘରୋଇ ଡାକ୍ତରଙ୍କୁ ଅନୁମତି ଦେବା ପାଇଁ ଦାବି କରୁଛନ୍ତି।

ଯୋଜନା ଅନୁଯାୟୀ, ଏହି ପଦଯାତ୍ରାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନେ ଗୁରୁବାର (ଅକ୍ଟୋବର ୮) ସୁଦ୍ଧା ଖଇରାବାଦ୍‌ରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଏହା ପରେ ଆନ୍ଦୋଳନର ପରବର୍ତ୍ତୀ ପର୍ଯ୍ୟାୟ ସମ୍ପର୍କରେ ଘୋଷଣା କରାଯିବ। ବର୍ତ୍ତମାନ ବିଭିନ୍ନ ଅଞ୍ଚଳରୁ ପିଟିଆଇ (PTI) ସମର୍ଥକମାନେ ଏହି ପଦଯାତ୍ରାରେ ଯୋଗ ଦେଉଛନ୍ତି। ୨୦୨୨ ମସିହାରେ ସଂସଦରେ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ୭୩ ବର୍ଷୀୟ ପୂର୍ବତନ କ୍ରିକେଟର ତଥା ରାଜନେତା ଇମ୍ରାନ୍ ଖାନ୍ ୨୦୨୩ ମସିହାରୁ ଜେଲରେ ଅଛନ୍ତି। ତାଙ୍କ ବିରୋଧରେ ଦୁର୍ନୀତି ଏବଂ ହିଂସା ଉସୁକାଇବା ଭଳି ଅଭିଯୋଗ ସମେତ ୧୦୦ରୁ ଅଧିକ ମାମଲା ରହିଛି। ସେ ବର୍ତ୍ତମାନ ରାୱଲପିଣ୍ଡିର ଆଡିଆଲା ଜେଲରେ ଅଛନ୍ତି।

Leave A Reply

Your email address will not be published.