ନୂଆଦିଲ୍ଲୀ: ଜନ୍ତର ମନ୍ତରଠାରେ ଆନ୍ଦୋଳନ କଭରେଜ୍ ସମୟରେ ଜଣେ ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଛନ୍ଦି ହୋଇଥିବା ଦିଲ୍ଲୀ ପୁଲିସର ଏସିପି ବିବେକ ଭଗତଙ୍କ ପଦୋନ୍ନତି ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଛି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ଏହି ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଯନ୍ତର ମନ୍ତରଠାରେ ନିର୍ବାଚନ କମିଶନଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ପ୍ରଦର୍ଶନର କଭରେଜ୍ ବେଳେ ଏସିପି ବିବେକ ଭଗତ ଓ ଅନ୍ୟ କେତେକ ପୁଲିସ କର୍ମଚାରୀ ସାମ୍ବାଦିକାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ମହିଳା ସାମ୍ବାଦିକା ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ମୋଟ ତିନିଜଣ ମହିଳା ସାମ୍ବାଦିକା ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ଦିଲ୍ଲୀ ପୁଲିସ ଏହି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ ପାଇଁ ମାମଲାକୁ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରିଛି।
ତଦନ୍ତ ଚାଲିଥିବା ସତ୍ତ୍ୱେ, ଦିଲ୍ଲୀ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସୋମବାର ବିବେକ ଭଗତଙ୍କ ସମେତ ୧୨ ଜଣ ଡାନିପ୍ସ କ୍ୟାଡର ଅଫିସରଙ୍କୁ ଆଡିସନାଲ ଡିସିପି ପଦବୀକୁ ଅସ୍ଥାୟୀ ପଦୋନ୍ନତି ଦିଆଯାଇଥିଲା। ଏହି ନିଷ୍ପତ୍ତି ପରେ ଗଣମାଧ୍ୟମ ଏବଂ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଇଥିଲା। ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସିପି ବିବେକ ଭଗତ ନିଜେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ନୂତନ ଦାୟିତ୍ୱ ଗ୍ରହଣ ନକରିବାକୁ ଗୃହ ବିଭାଗକୁ ଅନୁରୋଧ କରିଥିଲେ । ଏହି ଅନୁରୋଧ କ୍ରମେ ଦିଲ୍ଲୀ ସରକାର ତାଙ୍କ ପଦୋନ୍ନତି ନିର୍ଦ୍ଦେଶନାମାରେ ସଂଶୋଧନ ଆଣି ତାହାକୁ ରୋକ୍ ଲଗାଇଛନ୍ତି। ଅନ୍ୟ ୧୧ ଜଣ ଅଧିକାରୀଙ୍କ ପଦୋନ୍ନତି ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରାଯିବ।
ଅନ୍ୟପଟେ, ଦୋଷୀ ପୁଲିସ ଅଫିସରଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ସହ ତୁରନ୍ତ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଏଫଆଇଆର ରୁଜୁ ଦାବିରେ ସାମ୍ବାଦିକ ଗୋଷ୍ଠୀ ନିଜର ପ୍ରତିବାଦ ଜାରି ରଖିଛନ୍ତି। ଏହି ଘଟଣା ପୁଲିସ ବିଭାଗର ଆଚରଣ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।

