Latest Odisha News

BREAKING NEWS

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬: ଓହରିଗଲା ପାକିସ୍ତାନ, ବାଂଲାଦେଶକୁ ମିଳିଲା ସୁଯୋଗ

ମୋହାଲି : ଆସନ୍ତା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬ ହକି ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନ ନିଜର ନାମ ପ୍ରତ୍ୟାହାର କରିନେଇଛି । ଏହି ଟୁର୍ଣ୍ଣାମେଣ୍ଟ ଭାରତର ପଞ୍ଜାବରେ ଆୟୋଜିତ ହେବାକୁ ଥିବାବେଳେ, ନିରପେକ୍ଷ ସ୍ଥାନରେ ମ୍ୟାଚ୍ ଖେଳିବା ପାଇଁ ପାକିସ୍ତାନ କରିଥିବା ଦାବିକୁ ଏସୀୟ ହକି ମହାସଂଘ ଓ ହକି ଇଣ୍ଡିଆ ଅଗ୍ରାହ୍ୟ କରିଦେଇଥିଲେ । ଫଳରେ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛି । ଏବେ ପାକିସ୍ତାନ ସ୍ଥାନରେ ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରେ ସାମିଲ କରାଯାଇଛି । ଟୁର୍ଣ୍ଣାମେଣ୍ଟଟି ଅକ୍ଟୋବର ୨୭ରୁ ନଭେମ୍ବର ୫ ପର‌୍ୟ୍ୟନ୍ତ ଚାଲିବ । ଅକ୍ଟୋବର ୨୭ରୁ ନଭେମ୍ବର ୨ ପର‌୍ୟ୍ୟନ୍ତ ସମସ୍ତ ଲିଗ୍ ମ୍ୟାଚ୍ ଜଳନ୍ଧରରେ ଏବଂ ସେମିଫାଇନାଲ୍ (ନଭେମ୍ବର ୪) ଓ ଫାଇନାଲ୍ (ନଭେମ୍ବର ୫) ମୋହାଲିର ଅଲିମ୍ପିଆନ୍ ବଲବୀର ସିଂ ସିନିୟର ଇଣ୍ଟରନ୍ୟାସନାଲ ହକି ଷ୍ଟାଡିୟମରେ ଖେଳାଯିବ ।

ଭାରତ, ମାଲେସିଆ, ଜାପାନ, ଦକ୍ଷିଣ କୋରିଆ, ଚୀନ୍ ଏବଂ ବାଂଲାଦେଶ ଏଥିରେ ଅଂଶଗ୍ରହଣ କରୁଛନ୍ତି । ସମସ୍ତ ୬ଟି ଦଳ ରାଉଣ୍ଡ-ରୋବିନ୍ ଲିଗ୍ ପଦ୍ଧତିରେ ୫ଟି ଲେଖାଏଁ ମ୍ୟାଚ୍ ଖେଳିବେ । ପଏଣ୍ଟ ଟେବୁଲର ଶୀର୍ଷ ୪ଟି ଦଳ ସେମିଫାଇନାଲକୁ ପ୍ରବେଶ କରିବେ । ସୂଚନାଯୋଗ୍ୟ, ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଭାରତ ସବୁଠାରୁ ସଫଳ ଦଳ ଭାବେ ୫ ଥର (୨୦୧୧, ୨୦୧୬, ୨୦୧୮, ୨୦୨୩ ଓ ୨୦୨୪) ଟାଇଟଲ୍ ଜିତିସାରିଛି ।

ଭାରତର ଲିଗ୍ ମ୍ୟାଚ୍ ସୂଚୀ (ସମସ୍ତ ମ୍ୟାଚ୍ ସନ୍ଧ୍ୟା ୭ଟାରେ): ୨୭ ଅକ୍ଟୋବର: ଭାରତ ବନାମ ବାଂଲାଦେଶ (ପ୍ରଥମ ମ୍ୟାଚ୍), ୨୯ ଅକ୍ଟୋବର: ଭାରତ ବନାମ ଚୀନ, ୩୦ ଅକ୍ଟୋବର: ଭାରତ ବନାମ ଜାପାନ, ୧ ନଭେମ୍ବର: ଭାରତ ବନାମ ମାଲେସିଆ, ୨ ନଭେମ୍ବର: ଭାରତ ବନାମ ଦକ୍ଷିଣ କୋରିଆ ।

Leave A Reply

Your email address will not be published.