Latest Odisha News

BREAKING NEWS

‘ଇ-ସଞ୍ଚାର ଆପ୍’ର ଶୁଭାରମ୍ଭ;ଖୁବଶୀଘ୍ର ଆସିବ ସାମାଜିକ ଗଣମାଧ୍ୟମ ନୀତି

ଭୁବନେଶ୍ୱର:ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରୀ ସୂଚନା ଓ ସଞ୍ଚାର (Information & Communication) ପାଇଁ ଏକ ପ୍ରଭାବଶାଳୀ ସୋସିଆଲ ମିଡିଆ ନୀତି ପ୍ରଣୟନ କରାଯିବ। ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଏକ ନିରବଚ୍ଛିନ୍ନ ଡିଜିଟାଲ୍ ସୂଚନା ଓ ଯୋଗାଯୋଗ ବ୍ୟବସ୍ଥା ଗଠନ କରାଯିବ ଏବଂ ଡିଜିଟାଲ୍ ମାଧ୍ୟମରେ ମିଥ୍ୟା ତଥ୍ୟ ତଥା ଗୁଜବର ମୁକାବିଲା ପାଇଁ ଏକ କଡ଼ାକଡ଼ି ତଥ୍ୟ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଲୋକସେବା ଭବନ କନଭେନସନ୍ ସେଣ୍ଟର ଠାରେ ସୂଚନା ସେବା ଅଧିକାରୀଙ୍କ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ସାମାଜିକ ଗଣମାଧ୍ୟମର ଉଦୀୟମାନ ଧାରା’ ସମ୍ପର୍କରେ ଦିଗ୍‌ଦର୍ଶନ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏହି ଅବସରରେ ବିଭାଗ ପକ୍ଷରୁ ବିଜ୍ଞାପନ ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ‘ଇ-ସଞ୍ଚାର ଆପ୍’କୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ସୂଚନା ସେବା ସଂଘ ପକ୍ଷରୁ ପ୍ରସ୍ତୁତ ବାର୍ଷିକ ପତ୍ରିକା “ଲୋକସମ୍ପର୍କ” ର ଉନ୍ମୋଚନ କରିଥିଲେ।

ଆଜିର ଯୁବ ବର୍ଗ ପାରମ୍ପରିକ ଗଣମାଧ୍ୟମଠାରୁ ବହୁ ଆଗରେ ରହି ସାମାଜିକ ଗଣମାଧ୍ୟମ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ଲାଟଫର୍ମର ବ୍ୟାପକ ବ୍ୟବହାର କରୁଛନ୍ତି। ତେଣୁ ସରକାରୀ ସଂଚାର ବା ଯୋଗାଯୋଗ ପାଇଁ ଆମକୁ ମଧ୍ୟ ସାମ୍ପ୍ରତିକ ସମୟର ଏହି ଅତ୍ୟାଧୁନିକ ଟ୍ରେଣ୍ଡ୍‌ଗୁଡ଼ିକୁ ଆପଣାଇବାକୁ ପଡ଼ିବ ବୋଲି ସୂଚନାସେବା ଅଧିକାରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି କହିଛନ୍ତି ଯେ ବର୍ତ୍ତମାନର ସମୟ କେବଳ ପାରମ୍ପରିକ ପ୍ରିଣ୍ଟ ବା ଇଲେକ୍ଟ୍ରୋନିକ୍ସ ମିଡିଆର ସମୟ ନୁହେଁ, ବରଂ ସୋସିଆଲ ମିଡିଆ ଏବଂ କ୍ରିଏଟର ଇକୋନୋମିର ଯୁଗ। ପ୍ରତ୍ୟେକ ନାଗରିକଙ୍କ ହାତରେ ଥିବା ମୋବାଇଲ୍ ଫୋନ୍ ଆଜି ଏକାଧାରରେ ଖବରକାଗଜ, ଟେଲିଭିଜନ, ରେଡିଓ ଏବଂ ଏକାଧିକ ଯୋଗାଯୋଗର ମାଧ୍ୟମ ପାଲଟିଛି। ତେଣୁ ସରକାରୀ ଅଧିକାରୀମାନଙ୍କୁ କେବଳ ପ୍ରେସ୍ ରିଲିଜ୍ ଜାରି କରିବାରେ ସୀମିତ ନ ରହି ଜଣେ ଦକ୍ଷ କମ୍ୟୁନିକେସନ ପ୍ରଫେସ୍‌ନାଲ୍ ଭାବେ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ। ସୋସିଆଲ ମିଡିଆ ମନିଟରିଂ ଏବଂ ସୋସିଆଲ ଲିଆସନିଙ୍ଗ୍ ଜରିଆରେ ଜନସାଧାରଣଙ୍କ ମତାମତ ଓ ସମସ୍ୟାଗୁଡ଼ିକୁ ତ୍ୱରିତ ଭାବେ ଗ୍ରହଣ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।

ଖବର ପରିବେଷଣ ଏବଂ ସରକାରୀ ଯୋଗାଯୋଗର ମୂଳସ୍ତମ୍ଭ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ଯୋଗାଯୋଗ ଶୈଳୀ ସବୁବେଳେ ତିନୋଟି ପ୍ରମୁଖ ନୀତି ଉପରେ ପର୍ଯ୍ୟବେସିତ ହେବା ଉଚିତ୍-ସେଗୁଡ଼ିକ ହେଲା ତଥ୍ୟଗତ ସଠିକତା, ସମୟୋପଯୋଗୀ ଦ୍ରୁତତା ଏବଂ ସରଳତା (Accuracy, Speed, Simplicity)। ସରକାରୀ ତଥ୍ୟ କିମ୍ବା ପରିସଂଖ୍ୟାନରେ କୌଣସି ଭୁଲ୍ ଗ୍ରହଣୀୟ ନୁହେଁ। ଡିଜିଟାଲ ଯୁଗରେ ସୂଚନା ପ୍ରଦାନରେ ବିଳମ୍ବ ହେଲେ ଏକ ସୂଚନା ଶୂନ୍ୟତା ସୃଷ୍ଟି ହୁଏ, ଯାହାର ସୁଯୋଗ ନେଇ ଅନେକ ସମୟରେ କିଛି ଲୋକ ଭୁଲ୍ ଓ ବିଭ୍ରାନ୍ତିକର ସୂଚନା ପ୍ରଦାନ କରିଥାନ୍ତି। ତେଣୁ ସଠିକ୍ ସୂଚନାକୁ ଦ୍ରୁତ ଗତିରେ ଏବଂ ସାଧାରଣ ଲୋକ ବୁଝିପାରିବା ଭଳି ସରଳ ଭାଷାରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ହେବ।

ମୁଖ୍ୟମନ୍ତ୍ରୀ କାହାଣୀ କହିବା ଶୈଳୀ ବା ଷ୍ଟୋରିଟେଲିଂ ଉପରେ ବିଶେଷ ଜୋର୍ ଦେଇଛନ୍ତି। କେବଳ ଶୁଷ୍କ ପରିସଂଖ୍ୟାନ ବା ତଥ୍ୟ ଦେବା ପରିବର୍ତ୍ତେ ସରକାରୀ ଯୋଜନାଗୁଡ଼ିକ କିପରି ଜଣେ ସାଧାରଣ ନାଗରିକଙ୍କ ଜୀବନରେ ପରିବର୍ତ୍ତନ ଆଣୁଛି, ତାହାର ମାନବୀୟ କାହାଣୀ ଲୋକଙ୍କ ସାମ୍ନାକୁ ଆଣିପାରିଲେ ଏହା ପ୍ରଭାବଶାଳୀ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାସେବା ଅଧିକାରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ହିତାଧିକାରୀଙ୍କ କାହାଣୀକୁ ଲୋକଙ୍କ ସାମ୍ନାକୁ ଆଣନ୍ତୁ। କାରଣ ହିତାଧିକାରୀମାନଙ୍କ ମନ୍ତବ୍ୟ ହିଁ ସରକାରୀ ସେବା ପ୍ରଦାନର ପ୍ରକୃତ ପ୍ରମାଣ ।

ଆଜିର ଏହି କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଡିପ୍‌-ଫେକ୍, କ୍ଲୋନ୍ ହୋଇଥିବା ସ୍ୱର ଏବଂ କୃତ୍ରିମ ଭିଡିଓଗୁଡ଼ିକ ସମାଜରେ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଥିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ ସତ୍ୟ ସାମ୍ନାକୁ ଆସିବା ପୂର୍ବରୁ ଭୁଲ୍ ଖବର ଶୀଘ୍ର ବ୍ୟାପିଥାଏ। ତେଣୁ ଯେକୌଣସି ତଥ୍ୟ ସେୟାର କରିବା ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ। ସରକାରୀ ଅଧିକାରୀମାନେ ଆଜୀବନ ଶିକ୍ଷାର୍ଥୀ ହୋଇ ଡିଜିଟାଲ୍ ମିଡିଆ, ଫ୍ୟାକ୍ଟ-ଚେକିଂ, ଏବଂ ଭିଡିଓ କଣ୍ଟେଣ୍ଟ୍ କ୍ରିଏସନ୍‌ରେ ଦକ୍ଷତା ହାସଲ କରିବା ଆବଶ୍ୟକ।

ସୂଚନା ଅଧିକାରୀମାନେ କେବଳ ପ୍ରେସ ରିଲିଜରେ ସୀମିତ ନ ରହି ଆଧୁନିକ ସଞ୍ଚାର ବ୍ୟବସ୍ଥାର ପରିଚାଳକ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

 

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି) ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା, ଉପଖଣ୍ଡ ଓ ବିଭାଗରେ କାର୍ଯ୍ୟରତ ସୂଚନା ସେବା ଅଧିକାରୀ ମାନେ ଯୋଗ ଦେଇଥିଲେ।

 

Leave A Reply

Your email address will not be published.