Delhi on High Alert: ଦିଲ୍ଲୀରେ ହାଇଆଲର୍ଟ! ୪୫ ମେଟ୍ରୋ ଷ୍ଟେସନ୍ ବନ୍ଦ, ୬୬ରୁ ଅଧିକ ଟ୍ରେନ୍ ବାତିଲ୍, ହଜାର ହଜାର ସୁରକ୍ଷାକର୍ମୀଙ୍କ ନଜର; CJP ପ୍ରଦର୍ଶନ ପୂର୍ବରୁ ରାଜଧାନୀରେ ଅଭୂତପୂର୍ବ ସୁରକ୍ଷା
ନୂଆଦିଲ୍ଲୀ: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR)କୁ ବିରୋଧ କରି CJPର ପ୍ରସ୍ତାବିତ ପ୍ରଦର୍ଶନ ପୂର୍ବରୁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶନିବାର ଅକ୍ଟୋବର ୧୦ରେ ଜନ୍ତରମନ୍ତରରେ ପ୍ରଦର୍ଶନ ପାଇଁ CJP ଘୋଷଣା କରିଥିବା ବେଳେ ଦିଲ୍ଲୀ ପୋଲିସ ଏଥିପାଇଁ ଅନୁମତି ଦେଇନାହିଁ। ତଥାପି ପ୍ରଦର୍ଶନକୁ ନେଇ ଅଡ଼ି ବସିଛନ୍ତି CJPର ନେତାମାନେ। ଏହାକୁ ଦୃଷ୍ଟିରେ ରଖି ସାରା ରାଜଧାନୀରେ ସୁରକ୍ଷା ବଢ଼ାଇ ଦିଆଯାଇଛି।
ରିପୋର୍ଟ ଅନୁସାରେ, ଦିଲ୍ଲୀରେ ୨୬ ହଜାରରୁ ଅଧିକ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ମୁତୟନ କରାଯାଇଛି। ନୂଆଦିଲ୍ଲୀ ଜିଲ୍ଲାର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ୩୦୦ରୁ ଅଧିକ CCTV କ୍ୟାମେରା ଲଗାଯାଇଛି। ପୋଲିସ କର୍ମଚାରୀଙ୍କୁ ବଡି କ୍ୟାମେରା ଦିଆଯାଇଛି। ଜନ୍ତରମନ୍ତରକୁ ଯିବା ରାସ୍ତାରେ ଏକାଧିକ ସ୍ତରର ବ୍ୟାରିକେଡ୍ କରାଯାଇଥିବା ବେଳେ ଦିଲ୍ଲୀ ସୀମାରେ ଗାଡ଼ି ଯାଞ୍ଚ ଓ ଡ୍ରୋନ୍ରେ ନଜର ରଖାଯାଉଛି।
ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋର ୪୫ଟି ଷ୍ଟେସନ୍ରେ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ କରାଯାଇଛି। ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ଜନପଥ, ରାଜୀବ ଚୌକ, କେନ୍ଦ୍ରୀୟ ସଚିବାଳୟ, ନୂଆଦିଲ୍ଲୀ, ମଣ୍ଡି ହାଉସ୍, ITO, ଦିଲ୍ଲୀ ଗେଟ୍, କାଶ୍ମୀରୀ ଗେଟ୍, ହୌଜ ଖାସ୍, ଲାଜପତ ନଗର, ଜାମିଆ ମିଲିଆ ଇସଲାମିଆ, ଚାନ୍ଦନୀ ଚୌକ ଅଞ୍ଚଳର ଚାୱଡ଼ି ବଜାର ଏବଂ ଅନ୍ୟାନ୍ୟ ଷ୍ଟେସନ୍ ଏହି ତାଲିକାରେ ରହିଛି।
ରେଳ ଚଳାଚଳ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଖବର ଅନୁସାରେ, ଦିଲ୍ଲୀ ଆସୁଥିବା ଓ ଦିଲ୍ଲୀରୁ ଯାଉଥିବା ୬୬ରୁ ଅଧିକ ଟ୍ରେନ୍ ବାତିଲ୍ ହୋଇଛି। ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ଷ୍ଟେସନ୍କୁ ଆସୁଥିବା ଟ୍ରେନ୍ଗୁଡ଼ିକରେ ମଧ୍ୟ ପ୍ରଭାବ ପଡ଼ିଛି। ଏହା ସହ ଜନ୍ତରମନ୍ତରର ୪ କିଲୋମିଟର ପରିଧିରେ ଅକ୍ଟୋବର ୯ ରାତି ୧୦ଟାରୁ ଅକ୍ଟୋବର ୧୦ ରାତି ୧୦ଟା ପର୍ଯ୍ୟନ୍ତ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି।
ସୁରକ୍ଷା ଦୃଷ୍ଟିରୁ କନଟ୍ ପ୍ଲେସ୍ର ଦୋକାନ, ଅଫିସ୍, ରେସ୍ତୋରାଁ ଓ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ପରାମର୍ଶ ଦେଇଛି। ଭାଗୀରଥ ପ୍ୟାଲେସ୍ର ବିଦ୍ୟୁତ୍ ସାମଗ୍ରୀ ବଜାର ମଧ୍ୟ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି। ନିକଟବର୍ତ୍ତୀ ଅଞ୍ଚଳରେ ଯାତାୟାତ ଉପରେ କଟକଣା ରହିବା ସମ୍ଭାବନା ଅଛି।
ପ୍ରଦର୍ଶନ ପୂର୍ବରୁ ଦିଲ୍ଲୀ ପୋଲିସ ପ୍ରାୟ ୩୦ରୁ ୪୦ ଜଣ ଅପରାଧିକ ରେକର୍ଡ ଥିବା ବ୍ୟକ୍ତିଙ୍କୁ ଅଟକ ରଖିଥିବା ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ, ପ୍ରଦର୍ଶନକୁ ଅନୁମତି ନମିଳିବା ସତ୍ତ୍ୱେ CJPର ପ୍ରତିଷ୍ଠାତା ସଦସ୍ୟ ଅଭିଜିତ ଦୀପକେ ଆନ୍ଦୋଳନ କରିବାକୁ ଜିଦ୍ ଧରିଛନ୍ତି। ଅଭିଜିତ ଦୀପକେ କହିଛନ୍ତି, “ଏଥର ଲଢ଼େଇ ଆର୍ପାର୍ର। ଯାହା ବି ହେଉ ନା କାହିଁକି, ପ୍ରଦର୍ଶନ ହେବ।” ତେବେ ଦୁଇ ମାସ ପୂର୍ବରୁ ଜନ୍ତରମନ୍ତରରେ ଦେଖାଯାଇଥିବା Gen Z ଯୁବବର୍ଗ ଏଥର ତାଙ୍କ ସହ ନଜର ଆସୁନାହାନ୍ତି। କିଛି Gen Z ଯୁବକଯୁବତୀଙ୍କ ଅଭିଯୋଗ ହେଉଛି, CJP ବିରୋଧୀ ଦଳର ରାଜନୈତିକ ଏଜେଣ୍ଡା ଚଳାଉଛି।
ସେପଟେ, ସୁରକ୍ଷା ବ୍ୟବସ୍ଥା ଯୋଗୁଁ ପଟିଆଲା ହାଉସ୍ ଓ ରାଉଜ୍ ଆଭେନ୍ୟୁ କୋର୍ଟରେ ନ୍ୟାୟିକ କାର୍ଯ୍ୟ ଭର୍ଚୁଆଲ୍ ମାଧ୍ୟମରେ କରିବାର ବିକଳ୍ପ ରଖାଯାଇଛି। ଦିଲ୍ଲୀର ସାତଟି ଜିଲ୍ଲା ଅଦାଲତରେ ପକ୍ଷ, ଓକିଲ କିମ୍ବା ଅଭିଯୁକ୍ତ ଉପସ୍ଥିତ ନହେଲେ ସେହି କାରଣରୁ ପ୍ରତିକୂଳ ଆଦେଶ ଦିଆଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

