Latest Odisha News

BREAKING NEWS

ସଞ୍ଚୟର ଏକ ନିଆରା ଉଦାହରଣ: ୧୦ ଟଙ୍କିଆ କଏନ୍‌ରେ କିଣିଲେ ସ୍ୱପ୍ନର ସ୍କୁଟର୍

ହାଇଦ୍ରାବାଦ: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆସେ। ୧୦ ଟଙ୍କିଆ କଏନ୍ ସଞ୍ଚୟ କରି ପୂରଣ କଲେ ନିଜର ସ୍ୱପ୍ନର ସ୍କୁଟର୍। ଆଉ ଏଠାରେ ସଞ୍ଚୟର ବଡ଼ ଉଦାହରଣ ଦେଖାଇଦେଲେ। ତେଲେଙ୍ଗାନାର ମଞ୍ଚେରିଆଲ୍ ଜିଲ୍ଲା ଲକ୍ସେଟିପେଟର ଜଣେ ବ୍ୟକ୍ତି ୧୦ ଟଙ୍କିଆ କଏନ୍ ଦେଇ ଏକ ନୂଆ ହୋଣ୍ଡା ଆକ୍ଟିଭା ସ୍କୁଟର୍ କିଣିଛନ୍ତି। ୫୧ ବର୍ଷୀୟ ଚର୍ଚ୍ଚ ପାଷ୍ଟର ବି. ରବି ଜୋସେଫ୍, ଗତ ୩ ବର୍ଷ ଧରି ପ୍ରତିଦିନ ବିଭିନ୍ନ ସାମଗ୍ରୀ କିଣିବା ସମୟରେ ମିଳୁଥିବା ୧୦ ଟଙ୍କିଆ କଏନଗୁଡ଼ିକୁ ସଞ୍ଚୟ କରି ରଖୁଥିଲେ।

ସ୍କୁଟରର ମୂଲ୍ୟ ୧.୨୩ ଲକ୍ଷ ଟଙ୍କା ଥିଲା। ସେ ଶୋ’ରୁମକୁ ମୋଟ ୧୨,୩୦୦ଟି ୧୦ ଟଙ୍କିଆ କଏନ୍ ନେଇ ପହଞ୍ଚିଥିଲେ। ଏତେ ଗୁଡ଼ିଏ କଏନ୍ ଦେଖି ଶୋ’ରୁମର କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମସ୍ତ କଏନକୁ ଗଣିବା ପାଇଁ ଶୋ’ରୁମ୍ ଷ୍ଟାଫ୍‌ଙ୍କୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା। ବଜାରରେ ୧୦ ଟଙ୍କିଆ କଏନ୍ ଚଳୁନାହିଁ ବୋଲି ଅନେକ ସମୟରେ ଗୁଜବ ସୃଷ୍ଟି ହେଉଥିବାରୁ ତାଙ୍କ ପରିବାର ଲୋକେ ଚିନ୍ତିତ ଥିଲେ। କିନ୍ତୁ ରବି ଜୋସେଫ୍ ଏହି ଗୁଜବକୁ ଭୁଲ୍ ପ୍ରମାଣିତ କରିବା ସହ ନିଜ ସଞ୍ଚୟ ମାଧ୍ୟମରେ ନୂଆ ଗାଡ଼ି କିଣିବାର ସ୍ୱପ୍ନ ପୂରଣ କରିଛନ୍ତି।

ସେ ପ୍ରତିଦିନ କିଛି କିଛି ଟଙ୍କା ସଞ୍ଚୟ କରୁଥିଲେ। ସେଇ ଟଙ୍କାକୁ ରଖି ନିଜର ଏକ ସ୍କୁଟର୍ କିଣିବାକୁ ସ୍ବପ୍ନ ଦେଖିଥିଲେ। ଏହି ସମୟରେ ବେଳେ ବେଳେ ଅନେକ ବାଧା ବିଘ୍ନ ଆସିଛି। ୧୦ ଟଙ୍କିଆ କଏନ୍ ର ପ୍ରଚଳନ ବନ୍ଦ ହୋଇଯିବ ବୋଲି ଗୁଜବ ଶୁଣି ପରିବାରର କିଛି ସଦସ୍ୟ ତାଙ୍କୁ ଆଉ କଏନ୍ ଜମା ନକରିବାକୁ ବି କହିଥିଲେ। କିନ୍ତୁ ରବି ନିଜର ସଞ୍ଚୟ ଅଭ୍ୟାସ ଜାରି ରଖିଥିଲେ। ଶେଷରେ ନିଜ ସଞ୍ଚୟରେ ସ୍କୁଟର କିଣି ଏବେ ସେ ବହୁତ ଖୁସି ଅଛନ୍ତି। ସୋସିଆଲ ମିଡିଆରେ ଏହି ଖବର ପ୍ରକାଶ ପାଇବା ପରେ, ଲୋକେ ତାଙ୍କର ଏହି ନିଷ୍ଠା ଓ ସଞ୍ଚୟ କରିବାର ଶୈଳୀକୁ ବେଶ୍ ପ୍ରଶଂସା କରୁଛନ୍ତି।

Leave A Reply

Your email address will not be published.