ପାଟଣା: ବିହାର ବୈଶାଳୀରେ ଦୁଃଖଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଡଙ୍ଗା। ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିହାରର ବୈଶାଳୀ ଜିଲ୍ଲା ହାଜିପୁର ନିକଟସ୍ଥ ଗଙ୍ଗା ନଦୀରେ ଏହି ବଡ଼ ଧରଣର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଏବଂ ମହିଳା ଅଛନ୍ତି। ଅନେକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ରାଜ୍ୟ ସରକାର ଏବଂ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
ବିହାରର ବୈଶାଳୀ ଜିଲ୍ଲା ରାଘୋପୁର ଥାନା ଅନ୍ତର୍ଗତ ରାମପୁର ଶ୍ୟାମଚନ୍ଦ ଗାଁ ନିକଟ ଗଙ୍ଗା ନଦୀ। ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ (ପ୍ରାୟ ୨୦ ରୁ ଉର୍ଦ୍ଧ୍ୱ) ଥିବାରୁ ଭାରସାମ୍ୟ ହରାଇ ଏହା ନଦୀ ମଝିରେ ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ଲୋକମାନେ ଏକ ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ମୃତ ଶିଶୁମାନଙ୍କ ବୟସ ୧୫ ବର୍ଷରୁ କମ୍ ବୋଲି ଜଣାପଡ଼ିଛି। NDRF ଏବଂ SDRF ଟିମ୍ ସ୍ଥାନୀୟ ପ୍ରଶାସନ ସହ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କିଛି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ନିକଟସ୍ଥ ମାସପ୍ରସୂତି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମୃତକଙ୍କ ପାଇଁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ ୫୦,୦୦୦ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

