ୟୁପି: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ଆଜି ଅମେଠୀ ଜିଲ୍ଲାର ଗୌରୀଗଞ୍ଜଠାରେ ଆୟୋଜିତ ଏକ ଭବ୍ୟ ମିଶ୍ରଣ ପର୍ବରେ ସମାଜବାଦୀ ପାର୍ଟିର ୩ ବିଧାୟକ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ।
ବିଜେପିରେ ସାମିଲ ହୋଇଥିବା ତିନି ବିଧାୟକ ହେଲେ— ଅମେଠୀର ଗୌରୀଗଞ୍ଜରୁ ୩ ଥରର ବିଧାୟକ ରାକେଶ ପ୍ରତାପ ସିଂହ, ଆୟୋଧ୍ୟାର ଗୋସାଇଁଗଞ୍ଜ ବିଧାୟକ ଅଭୟ ସିଂହ ଏବଂ ଜାଲୌନ ଜିଲ୍ଲା କାଲପୀ ଆସନର ବିଧାୟକ ବିନୋଦ ଚତୁର୍ବେଦୀ । ପୂର୍ବରୁ ରାଜ୍ୟସଭା ନିର୍ବାଚନ ସମୟରେ ଏହି ନେତାମାନେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ୍-ଭୋଟିଂ କରିଥିଲେ, ଯାହା ପରେ ସପା ସେମାନଙ୍କୁ ଦଳରୁ ବହିଷ୍କାର କରିଥିଲା।
ଗୌରୀଗଞ୍ଜଠାରେ ଆୟୋଜିତ ଏହି ହାଇ-ପ୍ରୋଫାଇଲ୍ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ବିଜେପି ରାଜ୍ୟ ସଭାପତି ପଙ୍କଜ ଚୌଧୁରୀ, ରାଜ୍ୟ ପ୍ରଭାରୀ ମନ୍ତ୍ରୀ ପ୍ରତିଭା ଶୁକ୍ଳା, ଦାରା ସିଂହ ଚୌହାନଙ୍କ ସମେତ ପାର୍ଟିର ଅନେକ ଶୀର୍ଷ ନେତା ଓ ବିଧାୟକ ଉପସ୍ଥିତ ରହିବେ । ଏହି ଅବସରରେ ସ୍ମୃତି ଇରାନୀ ଓ ବିଜେପି ନେତୃବୃନ୍ଦ ତିନି ବିଧାୟକଙ୍କୁ ଦଳୀୟ ପତାକା ଓ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇବେ । ସେମାନଙ୍କ ସହିତ ହଜାର ହଜାର ସମର୍ଥକ ମଧ୍ୟ ବିଜେପିରେ ସାମିଲ ହେବେ।
ମିଶ୍ରଣ ପର୍ବକୁ ନେଇ ବିଜେପି ନେତାମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ, ଜନକଲ୍ୟାଣକାରୀ ଯୋଜନା ଓ ସୁଶାସନ ପ୍ରତି ଆସ୍ଥା ପ୍ରକଟ କରି ଏହି ନେତାମାନେ ପାର୍ଟିରେ ଯୋଗ ଦେବେ। ଅପରପକ୍ଷରେ, ଶ୍ରୀରାମ ମନ୍ଦିର ନିର୍ମାଣ ଓ ସନାତନ ଧର୍ମର ମୂଲ୍ୟବୋଧକୁ ସମର୍ଥନ ଜଣାଇ ସେମାନେ ବିଜେପିରେ ଯୋଗ ଦେଇଥିବା ନବନିର୍ବାଚିତ ବିଜେପି ନେତାମାନେ ପ୍ରକାଶ କରିଛନ୍ତି।
ରାଜନୈତିକ ସମୀକ୍ଷକଙ୍କ ମତରେ, ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଅବଧ, ଆୟୋଧ୍ୟା ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳରେ ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ବିଜେପି ପକ୍ଷରୁ ଏହା ଏକ ମାଷ୍ଟରଷ୍ଟ୍ରୋକ୍। ଏହି ପଦକ୍ଷେପ ଦ୍ୱାରା ନିର୍ବାଚନରେ ବିଜେପିର ସାଂଗଠନିକ ଶକ୍ତି ଦ୍ୱିଗୁଣିତ ହେବା ସହ ସପାର ଭୋଟ୍ ବ୍ୟାଙ୍କରେ ବଡ଼ ଧରଣର ପ୍ରଭାବ ପଡ଼ିବ ଏବଂ ବିଜେପି ଫାଇନ୍ଦାରେ ରହିବ।

