ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଏକ ନୂଆ ସିଂହ ଛୁଆର ଆଗମନ ହୋଇଛି। ଏସୀୟ ସିଂହୀ ‘ଶ୍ରେୟା’ ୧୮ ନମ୍ବର ଏନକ୍ଲୋଜରରେ ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛି।
ସୂତ୍ର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ସିଂହୀ ଶ୍ରେୟା ଏବଂ ସିଂହ ‘ହର୍ଷ’ ଠାରୁ ଏହି ଛୁଆଟି ଜନ୍ମ ହୋଇଥିଲା। ତେବେ,ଶ୍ରେୟା ପ୍ରଥମ ଥର ପାଇଁ ମା’ ହୋଇଥିବାରୁ ଏବଂ ନବଜାତ ଛୁଆ ପ୍ରତି ମାତୃସୁଲଭ ଯତ୍ନ ପ୍ରଦର୍ଶନ କରୁନଥିବାରୁ ଚିଡ଼ିଆଖାନା କର୍ତ୍ତୃପକ୍ଷ ଛୁଆଟିକୁ ମା’ଠାରୁ ଅଲଗା କରିଦେଇଥିଲେ। ଏହାପରେ ସ୍ୱତନ୍ତ୍ର ଯତ୍ନ ପାଇଁ ତାକୁ ପଶୁ ଚିକିତ୍ସା କେନ୍ଦ୍ର ଅନ୍ତର୍ଗତ ‘ଆନିମଲ୍ ନର୍ସରୀ’କୁ ସ୍ଥାନାନ୍ତର କରାଯାଇଥିଲା।
ବର୍ତ୍ତମାନ ନବଜାତ ଛୁଆଟିକୁ ଏକ ୱାର୍ମିଂ ଲାଇଟ୍ ତଳେ ରଖାଯାଇଛି ଏବଂ ଫିଡିଂ ବୋତଲ ସାହାଯ୍ୟରେ ଖାଦ୍ୟ ଦିଆଯାଉଛି।
ଏହି ଛୁଆର ଜନ୍ମ ସହିତ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ବୃଦ୍ଧି ପାଇ ୨୩ରେ ପହଞ୍ଚିଛି। ବର୍ତ୍ତମାନ ଚିଡ଼ିଆଖାନାରେ ୧୩ଟି ଅଣ୍ଡିରା ସିଂହ, ୯ଟି ମାଈ ସିଂହ ଏବଂ ଏହି ନବଜାତ ଛୁଆ ରହିଛନ୍ତି।

