Latest Odisha News

BREAKING NEWS

Pakistan water shortage: ଶୋଷରେ ଛଟପଟ ହେବ ପାକିସ୍ତାନ! ଏ ବର୍ଷ ବି ପାଣି ପାଇଁ ହାହାକାର, ୨୨% ଜଳ ଅଭାବରେ ଶୁ୍‌ଖିଯିବ ପଡୋଶୀ ଦେଶ ତଣ୍ଟି!

ନୂଆଦିଲ୍ଲୀ: ପାକିସ୍ତାନରେ ପାଣି ପାଇଁ ବଢ଼ିବ ସଙ୍କଟ! ଚାଷ ପାଇଁ ଆବଶ୍ୟକ ଜଳରେ ୨୨ ପ୍ରତିଶତ ଅଭାବ ଆଶଙ୍କା। ଏହାର ସିଧା ପ୍ରଭାବ ପଡ଼ିପାରେ ଗହମ ଉତ୍ପାଦନ ଓ ଦେଶର ଖାଦ୍ୟ ସୁରକ୍ଷା ଉପରେ। ହେଲେ ଏହି ସଙ୍କଟ ପାଇଁ ଭାରତକୁ ଦୋଷ ଦେଉଥିବା ପାକିସ୍ତାନ ନିଜ ଅବହେଳା ପାଇଁ ହିଁ ହଇରାଣ ହେବ । ନିଜସ୍ୱ ଜଳ ନିୟନ୍ତ୍ରକ ସଂସ୍ଥା IRSAର ରିପୋର୍ଟରେ କିଛି ଏପରି କାରଣ ସାମ୍ନାକୁ ଆସିଛି।

ପାକିସ୍ତାନର ନଦୀ ଜଳ ବଣ୍ଟନ ନିୟନ୍ତ୍ରଣ କରୁଥିବା ଇଣ୍ଡସ୍ ରିଭର୍ ସିଷ୍ଟମ୍ ଅଥରିଟି ବା IRSA ଅନୁସାରେ, ରବି ଋତୁରେ ପଞ୍ଜାବ ଓ ସିନ୍ଧ ପ୍ରଦେଶରେ ଜଳସେଚନ ପାଇଁ ୨୨ ପ୍ରତିଶତ ଜଳ ଅଭାବ ହୋଇପାରେ। ଅକ୍ଟୋବରରୁ ମାର୍ଚ୍ଚ ଯାଏଁ ରବି ଋତୁରେ ଗହମ, ସୋରିଷ, ବାର୍ଲି ଓ ଡାଲିଜାତୀୟ ଫସଲ ଚାଷ ହୋଇଥାଏ। ଫଳରେ ଏହି ଫସଲ ପାଇଁ ଜଳ କେଉଁଠୁ ଆସିବ ବୋଲି ଏବେ ଚିନ୍ତାରେ ଚାଷୀ ।

ତେବେ ଏହି ସଙ୍କଟ ପଛରେ କ’ଣ ରହିଛି କାରଣ? ରିପୋର୍ଟ ଅନୁସାରେ, ନଦୀରେ ଜଳ ପ୍ରବାହ ହ୍ରାସ, ଜଳଭଣ୍ଡାରରେ ପର୍ଯ୍ୟାପ୍ତ ପାଣି ସଂରକ୍ଷଣ ନହେବା ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଯୋଗୁଁ ସ୍ଥିତି ଜଟିଳ ହୋଇଛି।

୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ନଦୀଗୁଡ଼ିକରେ ଜଳ ପ୍ରବାହ ଆକଳନଠାରୁ ୮ ପ୍ରତିଶତ କମ୍ ରହିଥିଲା। ଗତବର୍ଷ ତୁଳନାରେ ଏହା ୨୨ ପ୍ରତିଶତ କମ୍। ସେପ୍ଟେମ୍ବର ୩୦ରେ ଜଳଭଣ୍ଡାରରେ ୯.୩୪୩ ନିୟୁତ ଏକର-ଫୁଟ୍ ପାଣି ଥିବାବେଳେ ଆଶା କରାଯାଇଥିଲା ୧୨.୦୧୪ ନିୟୁତ ଏକର-ଫୁଟ୍। ତାରବେଲା ଡ୍ୟାମ୍‌ରେ ନିର୍ମାଣ କାର୍ଯ୍ୟଜନିତ କଟକଣା ଯୋଗୁଁ ୩ ନିୟୁତ ଏକର-ଫୁଟ୍‌ରୁ ଅଧିକ ପାଣି ସଂରକ୍ଷଣ ହୋଇପାରିନଥିବା ରିପୋର୍ଟରେ କୁହାଯାଇଛି।

ଅନ୍ୟପଟେ ଟନେଲ୍-୪ର ଲୋ-ଲେଭଲ୍ ଆଉଟଲେଟ୍ ଓ ଟନେଲ୍-୫ ଜଳବିଦ୍ୟୁତ୍ ପ୍ରକଳ୍ପରେ ବିଳମ୍ବକୁ ନେଇ IRSA ଚିନ୍ତା ପ୍ରକାଶ କରିଛି। ଏହି ପ୍ରକଳ୍ପଗୁଡ଼ିକ ମାର୍ଚ୍ଚ ୨୦୨୫ ସୁଦ୍ଧା ଶେଷ ହେବାର ଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର କାମ ସରିନଥିବା ବେଳେ ଏହା ପାକିସ୍ତାନକୁ ଜଳ ସଙ୍କଟରେ ପକାଇପାରେ ।

ପାକିସ୍ତାନର ୮୦ ପ୍ରତିଶତରୁ ଅଧିକ କୃଷି ଜଳସେଚନ ବ୍ୟବସ୍ଥା ଉପରେ ନିର୍ଭରଶୀଳ। ଗତବର୍ଷ ଗହମ ଉତ୍ପାଦନ ଲକ୍ଷ୍ୟଠାରୁ କମ୍ ରହିବା ପରେ ଦେଶକୁ ଗହମ ଆମଦାନୀ କରିବାକୁ ପଡ଼ିଥିଲା। ତା ଉପରେ ପୁଣି ପାକିସ୍ତାନର ଏବେ ଅର୍ଥନୀତି ଭଲ ନଥିବା ବେଳେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ଖାଦ୍ୟ ଅଭାବ, ମହଙ୍ଗାଇ ପରେ ଏବେ ଜଳ ଅଭାବ ଲୋକଙ୍କ ଚିନ୍ତାକୁ ଆହୁରି ବଢାଇଛି ।

ସେପଟେ ୨୦୨୫ର ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛି। ଏହାକୁ ନେଇ ପାକିସ୍ତାନ ଭାରତ ବିରୋଧରେ ଅଭିଯୋଗ କରୁଛି। କିନ୍ତୁ ଚୁକ୍ତି ସ୍ଥଗିତ ରହିବାର ଅର୍ଥ ନଦୀର ଜଳ ପ୍ରବାହ ସମ୍ପୂର୍ଣ୍ଣ ବନ୍ଦ ହେବା ନୁହେଁ। ଏଭଳି ସ୍ଥିତିରେ ପାକିସ୍ତାନର ନିଜସ୍ୱ ଜଳ ପରିଚାଳନା ଓ ଅଧାପନ୍ତରିଆ ପ୍ରକଳ୍ପ ଦେଶ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

Leave A Reply

Your email address will not be published.