ଭୁବନେଶ୍ୱର:ଗାଡ଼କଣ ଅଳିଆଗଦାରେ ପୂଜା ସମୟରେ ଅଳିଆ ଜମା ନକରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଦାବି ପୂରଣ ନହେଲେ ଅନଶନ ଚେତାବନୀ ଦେଇଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବଙ୍କୁ ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ, ସୈନିକ ସ୍କୁଲ ନିକଟରୁ ଅଳିଆ ଗଦା ହଟାଇବା ଯାଏଁ କୌଣସି ଅଳିଆ ଡମ୍ପିଂ ନକରିବା ପାଇଁ ଦାବି କରାଯାଇଛି। ଯଦି ଅଳିଆ ଗାଡ଼ି ପ୍ରବେଶ ବନ୍ଦ ନହୁଏ ତେବେ ଦଶହରା ସମୟରେ ବାଧ୍ୟ ହୋଇ ଅଭିଯାନ ପଲ୍ୟୁସନ ବୋର୍ଡ ଆଗରେ ଅନଶନରେ ବସିବା ସହ ଅଳିଆ ଗଦା ନିକଟରେ ଆନ୍ଦୋଳନ କରିବ ।
ସୈନିକସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଅ ଅଭିଯାନର କର୍ମକର୍ତ୍ତାମାନେ କହିଛନ୍ତି, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ବେଆଇନ ବିଷାକ୍ତ ଅଳିଆ ଗଦା ହଟାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏହାପୂର୍ବରୁ ‘ଅଭିଯାନ’ ପକ୍ଷରୁ ଅନେକ ଧାରଣା, ବିକ୍ଷୋଭ ଓ ଅନଶନ କରାଯାଇଛି। ବହୁ ବିଳମ୍ବରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏକ ତାଗିଦ ଭରା ଚିଠି ଲେଖି ବିଏମ୍ସିକୁ ଅଳିଆ ଗଦା ହଟାଇବାକୁ ସମୟ ଦେଇଛି। ଅଳିଆ ଗଦାର ବିଷାକ୍ତ ଗ୍ୟାସ ଓ ପ୍ରଦୂଷଣ ଯୋଗୁଁ ସେହି ଅଂଚଳର ଅନେକ ଲୋକଙ୍କ ମୃତ୍ୟୁ ସହି ବିଭିନ୍ନ ମାରାତ୍ମକ ରୋଗରେ ପୀଡିତ ହୋଇଛନ୍ତି ।

