Latest Odisha News

BREAKING NEWS

କଳିଙ୍ଗନଗରରେ ଆରମ୍ଭ ହେଲା ଶିଳ୍ପାୟନର ‘ସ୍ୱର୍ଣ୍ଣିମ ଅଧ୍ୟାୟ’

କେନ୍ଦୁଝରରୁ ଖୋର୍ଦ୍ଧା, ସବୁଠି ଖୋଲିଲା ନିଯୁକ୍ତିର ରାସ୍ତା, ଓଡ଼ିଶା ହେବ ଦେଶର ଶ୍ରେଷ୍ଠ ‘ମାନୁଫାକ୍ଚରିଙ୍ଗ ହବ୍’- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟା ଆହୁରି ଗତିଶୀଳ କରି ଆଜି ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ଏକ ବୃହତ ଶିଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ୧୪ଟି ଜିଲ୍ଲାରେ ୩୯,୩୮୩ କୋଟି ଟଙ୍କାର ପୁଞ୍ଜି ନିବେଶରେ ୪୬ଟି ମଧ୍ୟମ ଓ ବୃହତ୍ ଶିଳ୍ପ ପ୍ରକଳ୍ପର ଭୂମିପୂଜନ ଏବଂ ଉଦ୍‌ଘାଟନ କରିଛନ୍ତି। ଏହାଦ୍ୱାରା ୪୨,୫୧୨ଟି ନିଯୁକ୍ତି ସୃଷ୍ଟି ହୋଇଛି। ଏହି ପଦକ୍ଷେପ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ଯୁବବର୍ଗଙ୍କ ପାଇଁ ବ୍ୟାପକ ରୋଜଗାରର ସୁଯୋଗ ସୃଷ୍ଟି କରିବ। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସମଗ୍ର ଓଡ଼ିଶାରେ ଯେଉଁ ଶିଳ୍ପ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହେଉଛି, ତାହା ରାଜ୍ୟର ଦ୍ୱିତୀୟ ଶିଳ୍ପ ବିପ୍ଲବର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ପୂର୍ବରୁ ଶିଳ୍ପ ନିବେଶ କେବଳ ଏକ ସ୍ଲୋଗାନ ଏବଂ ପ୍ରଚାର ପ୍ରସାରର ମାଧ୍ୟମ ହୋଇ ରହିଥିଲା। ପ୍ରତିଟି ବୁଝାମଣାପତ୍ର କୁ ବାସ୍ତବ ରୂପ ଦେଇ ଫାକ୍ଟ୍ରି ନିର୍ମାଣ କରି ଉତ୍ପାଦନ ଆରମ୍ଭ କରିଛୁ ଏବଂ ଆମର ଓଡ଼ିଆ ପୁଅ-ଝିଅମାନଙ୍କୁ ନିଯୁକ୍ତି ଦେବାରେ ସମର୍ଥ ହୋଇଛୁ।ଆଗାମୀ ଦଶ ବର୍ଷ ଭିତରେ ରାଜ୍ୟର ଅର୍ଥନୀତିକୁ ୫୦୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବା ପାଇଁ ଆମେ ‘ସମୃଦ୍ଧ ଓଡ଼ିଶା’ଗଠନର ଲକ୍ଷ୍ୟ ରଖିଛୁ। ନୀତି ଆୟୋଗର ସୂଚକାଙ୍କ ଅନୁସାରେ ଓଡ଼ିଶା ବର୍ତ୍ତମାନ ଦେଶରେ ପୁଞ୍ଜି ଆକର୍ଷଣ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ଆମ ସରକାରଙ୍କ ଉପରେ ଶିଳ୍ପ ଜଗତର ଦୃଢ଼ ଆସ୍ଥାର ପ୍ରମାଣ ଦେଉଛି। ଯାଜପୁରର କଳିଙ୍ଗନଗର ଅଞ୍ଚଳ ଆଜି ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାର ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି ସମାରୋହରେ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ଗ୍ରୁପ୍‍ର କାର୍ବନ୍ ଷ୍ଟିଲ୍ ଏବଂ ଷ୍ଟେନଲେସ୍ ଷ୍ଟିଲ୍ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ଓ ନୂତନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ସେହିପରି ଟାଟା ଷ୍ଟିଲ୍‌ର ନୂତନ ଡାଉନଷ୍ଟ୍ରିମ୍ ସୁବିଧା, ସ୍ଲରୀ ପାଇପ୍‌ଲାଇନ୍, ଗ୍ରାଇଣ୍ଡିଂ ଏବଂ ଫିଲ୍ଟରେସନ୍ ୟୁନିଟ୍ ଆଦି ପ୍ରକଳ୍ପ ରାଜ୍ୟରେ ହାଇ-ଭାଲ୍ୟୁ ଷ୍ଟିଲ୍ ଉତ୍ପାଦନକୁ ଆହୁରି ମଜବୂତ କରିବ। ଏହାସହିତ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଅଲୋୟେଜ୍ ଲିମିଟେଡ୍, ଜଟିଆ ଷ୍ଟିଲ୍ ଲିମିଟେଡ୍, ବିକେ ଉତ୍କଳ ଷ୍ଟିଲ୍ ଏବଂ ଶ୍ରୀ ଏମ୍. କେ. ଷ୍ଟିଲ୍ ଭଳି ପ୍ରତିଷ୍ଠିତ କମ୍ପାନୀଗୁଡ଼ିକର ପ୍ରକଳ୍ପଗୁଡ଼ିକ ଏହି କ୍ଷେତ୍ରର ଶିଳ୍ପ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବ ବୋଲି ଜଣାପଡିଛି। ଏହି ଶିଳ୍ପ ଗୁଡିକ ରାଜ୍ୟର ୧୪ଟି ଜିଲ୍ଲା ଅନୁଗୋଳ, ବରଗଡ, ବାଲେଶ୍ୱର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡରେ ସ୍ଥାପନ କରାଯାଇଛି। ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ୧୫୧ ଗୋଟି ପ୍ରକଳ୍ପର ଭୂମିପୂଜନ କିମ୍ବା ଉଦ୍‌ଘାଟନ କରାଯାଇ ୩ ଲକ୍ଷ ୧୧ ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ ହୋଇଥିବାବେଳେ ଏହାଦ୍ୱାରା ୨ ଲକ୍ଷ ୪୦ ହଜାରରୁ ଅଧିକ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ପଥ ଉନ୍ମୁକ୍ତ ହୋଇଛି। ନିବେଶକମାନଙ୍କୁ ସ୍ୱାଗତ ଜଣାଇùf ମୁଖ୍ୟମନ୍ତ୍ରୀ । ସିଙ୍ଗଲ ୱିଣ୍ଡୋ ସିଷ୍ଟମ ଏବଂ ନୂତନ ଶିଳ୍ପନୀତି ମାଧ୍ୟମରେ ପ୍ରକଳ୍ପ ଅନୁମୋଦନ ପ୍ରକ୍ରିୟାକୁ ଅଧିକ ସରଳ ଓ ସ୍ୱଚ୍ଛ କରାଯାଇଛି। ଏପର୍ଯ୍ୟନ୍ତ ୧୨.୦୭ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ସହିତ ୫୬୦ଟି ଶିଳ୍ପ ପ୍ରସ୍ତାବ ଅନୁମୋଦିତ ହୋଇସାରିଛି। ଏହା ମାଧ୍ୟମରେ ପ୍ରାୟ ୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ବିରୋଧୀମାନେ ରାଜନୀତିରେ ବ୍ୟସ୍ତ ଥିବାବେଳେ, ଆମ ସରକାର ଓଡ଼ିଶାର ପ୍ରଗତି ଓ ବିକାଶରେ ବ୍ୟସ୍ତ ଅଛନ୍ତି।

ସମାରୋହରେ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯାଜପୁରର ଭବିଷ୍ୟତ ଓ ଆଞ୍ଚଳିକ ବିକାଶ ଉପରେ ଆଲୋକପାତ କରି କହିଛନ୍ତି । ଏହି ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦୂରଦୃଷ୍ଟିକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ସମାରୋହରେ ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର ନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ,  JSL ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ, IMFA ର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସମାରୋହ ଆରମ୍ଭରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଧନ୍ୟବାଦ ଦେଇଥିଲେ ।

 

Leave A Reply

Your email address will not be published.