ଫ୍ରାନ୍ସ: ଇସ୍ରାଏଲ୍ ସରକାରଙ୍କ ବିମାନ ଚଳାଚଳ ଏବଂ ନିରାପତ୍ତା ନିୟମକୁ କାର୍ଯ୍ୟକାରୀ କରି ପ୍ରସିଦ୍ଧ ବିମାନ ସଂସ୍ଥା ‘ଏୟାର ଫ୍ରାନ୍ସ’ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସଂସ୍ଥା ପକ୍ଷରୁ ଇସ୍ରାଏଲ୍କୁ ଯାତ୍ରା କରୁଥିବା ଏବଂ ସେଠାରୁ ଆସୁଥିବା ବିମାନଗୁଡ଼ିକରେ ପାକିସ୍ତାନୀ ପାଇଲଟ୍ ଏବଂ କ୍ୟାବିନ୍ କ୍ରୁ ସଦସ୍ୟଙ୍କ କାର୍ଯ୍ୟ କରିବା ଉପରେ କଟକଣା ଜାରି କରାଯାଇଛି।
ଇସ୍ରାଏଲ୍ ସହିତ କୌଣସି ପ୍ରକାରର କୂଟନୈତିକ ସମ୍ପର୍କ ନଥିବା ଦେଶଗୁଡ଼ିକର ନାଗରିକ କିମ୍ବା ଦ୍ୱୈତ ନାଗରିକତା ରଖିଥିବା କ୍ରୁ ମେମ୍ବରମାନେ ଏହି ନିୟମ ଅଧୀନରେ ଆସୁଛନ୍ତି। ପୂର୍ବରୁ ଫ୍ଲାଏଦୁବାଇ ବିମାନକୁ ନେଇ ଘଟିଥିବା ଏକ ସୁରକ୍ଷା ଘଟଣା ପରେ ଇସ୍ରାଏଲ୍ ପକ୍ଷରୁ ଏହି ନିୟମଗୁଡ଼ିକୁ ଅଧିକ କଡ଼ାକଡ଼ି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଇସ୍ରାଏଲ୍ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରତ୍ୟେକ ବିମାନ କ୍ରୁ ସଦସ୍ୟଙ୍କ ନାଗରିକତା ଯାଞ୍ଚ କରିବା ବାଧ୍ୟତାମୂଳକ କରିଛନ୍ତି।
ଏୟାର ଫ୍ରାନ୍ସ ଏହି ନିୟମକୁ ପାଳନ କରିବାରେ ପ୍ରଥମ ପ୍ରମୁଖ ବିମାନ ସଂସ୍ଥା ପାଲଟିଥିବା ବେଳେ ଆମେରିକାର ‘ୟୁନାଇଟେଡ୍ ଏୟାରଲାଇନ୍ସ’ ମଧ୍ୟ ନିଜ କ୍ରୁ ପ୍ଲାନିଂ ପ୍ରକ୍ରିୟାରେ ସମାନ ନିୟମ ସାମିଲ କରିଥିବା ଜଣାପଡ଼ିଛି। ଏହି ନୂତନ ନିୟମାବଳୀରେ ପାକିସ୍ତାନ ସମେତ ପ୍ରାୟ ୨୯ ରୁ ୩୧ଟି ମୁସଲମାନ ସଂଖ୍ୟାଗରିଷ୍ଠ ଦେଶର ନାଗରିକମାନଙ୍କୁ ଇସ୍ରାଏଲ୍ ଯାଉଥିବା ବିମାନରେ କାମ କରିବାରୁ ବାରଣ କରାଯାଇଛି।
ଆଗକୁ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଏୟାରଲାଇନ୍ସଗୁଡ଼ିକ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିବେ କି ନାହିଁ ଏବଂ ଏହା ବିମାନ ପରିଚାଳନା ଉପରେ କି ପ୍ରକାର ପ୍ରଭାବ ପକାଇବ, ତାହା ବର୍ତ୍ତମାନ ଏଭିଏସନ୍ ଜଗତରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ଫ୍ରାନ୍ସରେ ଏହି ନିୟମକୁ ନେଇ କର୍ମଚାରୀ ୟୁନିଅନ ଓ ଆଇନଗତ ପ୍ରଶ୍ନ ମଧ୍ୟ ଉଠିଛି।

