ଭୁବନେଶ୍ୱର: ଓଡ଼ିଶାର ୧୩ଟି ଜିଲ୍ଲାରେ ବଜ୍ରପାତ ଏବଂ ପ୍ରବଳ ବେଗରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ଏକ ସତର୍କ ସୂଚନା ଜାରି କରିଛି।
ଗୁରୁବାର ପୂର୍ବାହ୍ନରେ ଜାରି କରାଯାଇଥିବା ଏକ ବାର୍ତ୍ତାରେ ପାଣିପାଗ ବିଭାଗ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼, ଗଞ୍ଜାମ, ଯାଜପୁର, କଟକ, ଖୋର୍ଦ୍ଧା, ଭୁବନେଶ୍ୱର, କୋରାପୁଟ, ଗଜପତି ଏବଂ ରାୟଗଡ଼ା ଜିଲ୍ଲା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରିଛି। ସେହିପରି ଦଶହରା ପର୍ଯ୍ୟନ୍ତ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଲାଗିରହିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବିଶେଷ କରି ୧୬ ତାରିଖ ପାଇଁ କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ଜିଲାକୁ ୟେଲୋ ଆଲର୍ଟ ଦିଆଯାଇଛି। ୧୭ ତାରିଖରେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ସହ ବଜ୍ରପାତ ଓ ପବନ ବହିବାର ସମ୍ଭାବନା ରିହିଛି।
ତେବେ ଏଥିପାଇଁ ଲୋକମାନଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ନିଜର ସୁରକ୍ଷା ପାଇଁ ସେହି ଅନୁଯାୟୀ ପ୍ରସ୍ତୁତ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସୂଚନା ଅନୁଯାୟୀ, ରାଜ୍ୟର ୧୦ ଜିଲ୍ଲାରୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ବିଦାୟ ନେଇଛି। ସେହିପରି ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦେଶର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଫେରିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

