Latest Odisha News

BREAKING NEWS

ଅଭିଜିତ ଦୀପକେଙ୍କୁ ସର୍ତ୍ତମୂଳକ ଜାମିନ, ଶାନ୍ତି ବଜାୟ ରଖିବା ପାଇଁ ପିସ୍ ବଣ୍ଡ ସ୍ୱାକ୍ଷର

ନୂଆଦିଲ୍ଲୀ: କୋକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ କିଛି ସର୍ତ୍ତ ସହିତ ଜାମିନ ପ୍ରଦାନ କରାଯାଇଛି। ଦିଲ୍ଲୀ ପୋଲିସ ଅନୁଯାୟୀ, ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଦାଖଲ କରିବା ଏବଂ ଏକ ଶାନ୍ତି ବଣ୍ଡ ସ୍ୱାକ୍ଷର କରିବା ପରେ ତାଙ୍କୁ ମୁକ୍ତ କରାଯିବ। କନଟ୍ ପ୍ଲେସରେ ଆୟୋଜିତ ‘ଲହରା ଦୋ ତ୍ରିରଙ୍ଗା’ ପ୍ରତିବାଦ ସଭାରେ ସାମିଲ ହେବାକୁ ଯାଉଥିବା ବେଳେ ଶୁକ୍ରବାର ଦିନ ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା।

ଅଭିଜିତ ଦୀପକେଙ୍କୁ ଦିଲ୍ଲୀର ଏକ ସ୍ପେଶାଲ୍ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ (SEM) କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜାମିନର ମୁଖ୍ୟ ସର୍ତ୍ତ ଅନୁଯାୟୀ, ଅଭିଜିତଙ୍କୁ ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାର ଶାନ୍ତି ଭଙ୍ଗ ନକରିବା ପାଇଁ ଏକ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ଶାନ୍ତି ବଣ୍ଡ (Peace Bond) ସ୍ୱାକ୍ଷର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଅକ୍ଟୋବର ୧୦ ତାରିଖରେ ଦେଇଥିବା ଶାନ୍ତି ବଣ୍ଡର ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କୁ ଝାଣ୍ଡେୱାଲାନ୍ ଅଞ୍ଚଳରୁ ପୋଲିସ ଗିରଫ କରିଥିଲା।

ଏହା ପୂର୍ବରୁ ଶନିବାର ଦିନ ସିଜେପି (CJP)ର ଆଇନଗତ ବ୍ୟାପାର ମୁଖ୍ୟ ରତ୍ନା ସିଂହ, ଦୀପକେଙ୍କ ଗିରଫଦାରିର ଆଇନଗତ ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ । ସେ ମୌଳିକ ଅଧିକାର ଏବଂ ଆଇନଗତ ପ୍ରକ୍ରିୟାର ଘୋର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି, ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ (Special Executive Magistrate- SEM) କୋର୍ଟଙ୍କୁ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ ।

X-ରେ ଏକ ପୋଷ୍ଟ କରି ସିଂହ ପ୍ରଶ୍ନ କରିଛନ୍ତି ଯେ, ନାଗରିକମାନଙ୍କୁ ଏକ ଶାନ୍ତିପୂର୍ଣ୍ଣ ଜାତୀୟ ପ୍ରଦର୍ଶନରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେବା କିପରି ଏକ ଅପରାଧ ହୋଇପାରେ ? ସିଂହ ଲେଖିଛନ୍ତି, “ଏସଇଏମ୍ (Special Executive Magistrate- SEM) କୋର୍ଟ ଅଭିଜିତ ଦିପକେଙ୍କୁ ମୁକ୍ତ କରିବା ଉଚିତ୍, କାରଣ ତାଙ୍କ ଗିରଫଦାରି ବେଆଇନ ଅଟେ । ସେ କେବଳ ଲୋକମାନଙ୍କୁ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଅନୁରୋଧ କରିଥିଲେ- ଏହା କିପରି ଏକ ଅପରାଧ ହୋଇପାରେ ?”

ଦୀପକେଙ୍କୁ ତାଙ୍କ ଘର ସାମ୍ନାରୁ ଉଠାଇ ନିଆଯାଇଥିବା ଘଟଣାକୁ ନେଇ ସିଂହ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କର୍ତ୍ତୃପକ୍ଷ ତୁରନ୍ତ ସେ କେଉଁଠାରେ ଅଛନ୍ତି ସେ ବିଷୟରେ ସୂଚନା ଦେଇନଥିଲେ ଏବଂ ତାଙ୍କ ଓକିଲଙ୍କୁ ତାଙ୍କ ସହ ସାକ୍ଷାତ କରିବାକୁ ଅନୁମତି ଦେଇନଥିଲେ । ନିର୍ଦ୍ଧାରିତ ‘ଲେହରା ଦୋ ତିରଙ୍ଗା’ (ତ୍ରିରଙ୍ଗା ଉତ୍ତୋଳନ) ଶୋଭାଯାତ୍ରାର ନେତୃତ୍ୱ ନେବାରୁ ଦୀପକେଙ୍କୁ ରୋକିବା ପାଇଁ ଦିଲ୍ଲୀ ପୋଲିସ ଶୁକ୍ରବାର ଦିନ ତାଙ୍କୁ ଅଟକ ରଖିଥିଲା । କର୍ତ୍ତୃପକ୍ଷ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଲାଗୁ କରି ମଧ୍ୟ ଦିଲ୍ଲୀରେ ସର୍ବସାଧାରଣ ଏକତ୍ରିତ ହେବା ଉପରେ କଠୋର କଟକଣା ଜାରି କରିଥିଲେ ।

ଭୋଟର ତାଲିକା ସଂଶୋଧନରେ ଅନିୟମିତତା ହୋଇଥିବା ଅଭିଯୋଗକୁ ନେଇ ନିର୍ବାଚନ ଆୟୋଗ ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଏହି ଅଟକ ଘଟଣା ସାମ୍ନାକୁ ଆସିଛି ।

 

Leave A Reply

Your email address will not be published.