ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାରେ ବି ତିଥି ଓ ପୂଜାକୁ ନେଇ ଦ୍ବନ୍ଦ୍ବ। ଚଳିତ ବର୍ଷ ଦଶହରା ପାଇଁ ପଞ୍ଜିକା ଓ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ଦୁଇଟି ଦିନ ଅର୍ଥାତ ୨୦ ଓ ୨୧ ତାରିଖ ଉଲ୍ଲେଖ ଥିବାରୁ ଏହାକୁ ନେଇ ଅଡୁଆରେ ଲୋକେ। ପଂଜିକା ଅନୁସାରେ ଆଜି ପୀଠ ଓ ମୃଣ୍ମୟୀ ମଣ୍ଡପ ପାଇଁ ଗୋଟିଏ ଦିନରେ ସପ୍ତମୀ ପୂଜା ଉଲ୍ଲେଖ ଥିବା ବେଳେ ମଣ୍ଡପରେ ଅନୁଷ୍ଠିତ ହୋଇଛି ଷଷ୍ଠୀ ପୂଜା।
ସେପଟେ ଚଳିତ ବର୍ଷ ଶ୍ରୀମନ୍ଦିର ପଂଜିକାରେ ଦଶହରା ପୂଜା ନୀତି ପୀଠ ନୀତି ୨୦ ତାରିଖ ପରିବର୍ତ୍ତେ ମଣ୍ଡପ ନୀତି ଅନୁସାରେ ୨୧ ତାରିଖରେ ପାଳନ ପାଇଁ ଉଲ୍ଲେଖ ଥିବାରୁ ତାକୁ ନେଇ ଉପୁଜିଛି ଦ୍ବନ୍ଦ୍ବ। ପ୍ରକୃତରେ କେଉଁ ଦିନ ମାଆଙ୍କ ଷଷ୍ଠୀ, ମହାସପ୍ତମୀ, ମହାଷ୍ଟମୀ, ଦଶହରା ଓ ବିସର୍ଜନ ପାଳନ କରାଯିବ ତାହାକୁ ନେଇ ପଞ୍ଜିକା ଏବଂ ଶ୍ରୀମନ୍ଦିରର ନୀତିକାନ୍ତି ମଧ୍ୟରେ ପାର୍ଥକ୍ୟ ଦେଖାଦେଇଛି। ଶକ୍ତିପୀଠଗୁଡ଼ିକରେ ଆଜି ସପ୍ତମୀ ପୂଜା ହେଉଥିବାବେଳେ ଆସନ୍ତାକାଲି ଅଷ୍ଟମୀ ପୂଜା ହେବ। କିନ୍ତୁ ପୂଜା ମଣ୍ଡପଗୁଡ଼ିକରେ ତିଥିକୁ ନେଇ ଭିନ୍ନ ଭିନ୍ନ ମତ ରହିଛି।
କେତେକ ସ୍ଥାନରେ ଆସନ୍ତାକାଲି ସପ୍ତମୀ ପୂଜା ଥିବାବେଳେ ଅନ୍ୟ କେତେକ ସ୍ଥାନରେ ଅଷ୍ଟମୀ ପୂଜା ପାଳନ କରାଯିବ। ଫଳରେ ବ୍ରତଧାରୀ ଶ୍ରଦ୍ଧାଳୁମାନେ ମହାଷ୍ଟମୀ କେବେ ପାଳନ କରିବେ, ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଅନ୍ୟପଟେ ଆସନ୍ତାକାଲି ମଣ୍ଡପରେ ସପ୍ତମୀ, ସୋମବାର ଅଷ୍ଟମୀ, ମଙ୍ଗଳବାର ନବମୀ ଏବଂ ବୁଧବାର ଦଶହରା ପାଳନ ହେବ ବୋଲି କୁହାଯାଉଛି। ସେପଟେ ବରିଷ୍ଠ ଜ୍ୟୋତିର୍ବିତଙ୍କ ମତରେ ଚଳିତ ବର୍ଷ ଦ୍ବନ୍ଦ୍ବ ପଛର କାରଣ ହେଉଛି, ଶ୍ରୀମନ୍ଦିର ପଞ୍ଜିକା। ଯେଉଁଥିରେ ୨୦ ତାରିଖ ପରିବର୍ତ୍ତେ ଦଶହରା ୨୧ ତାରିଖରେ ପାଳନ କରାଯିବା ନେଇ ଉଲ୍ଲେଖ ରହିଛି।

