କୋଲକାତା: ଦୁର୍ଗା ପୂଜାର ସପ୍ତମୀ ସନ୍ଧ୍ୟାରେ କୋଲକାତାରେ ଏକ ବଡ ଅଘଟଣ ଘଟିଛି । ଉତ୍ତର କୋଲକାତାର ଚୋରବାଗାନ ସାର୍ବଜନୀନ ପୂଜା ପେଣ୍ଡାଲର ଏକ ଅଂଶ ଭିଡ଼ ଚାପରେ ଭୁଷୁଡ଼ି ପଡ଼ିଛି। ରିପୋର୍ଟ ଅନୁଯାୟୀ, ଏହି ଘଟଣା ପରେ ସେଠାରେ ଦଳାଚକଟା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି।
ଏହି ଘଟଣା ପରେ ପ୍ରଭାବିତ ସମସ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ କଲିକତା ମେଡିକାଲ୍ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ବିଷୟରେ ଖବର ପାଇବା ପରେ ପୋଲିସ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଲେ। ପରିସ୍ଥିତିକୁ ସମ୍ଭାଳିବା ପାଇଁ ପୂଜା ଆୟୋଜକମାନେ ମଧ୍ୟ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସାମିଲ ହେଲେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ମୁଖ୍ୟ ସଚିବ ମନୋଜ ଅଗ୍ରୱାଲ କଲିକତା ମେଡିକାଲ କଲେଜରେ ପହଞ୍ଚିଛନ୍ତି।
#WATCH | North Kolkata, West Bengal | An eyewitness says, “Many people lost consciousness; some were being taken on motorcycles. I witnessed this happening all around—when people fainted, they were taken away on bikes. All of this took place, and there was a massive crowd as well…”
— ANI (@ANI) October 17, 2026
ଆୟୋଜକମାନଙ୍କ ଅନୁଯାୟୀ, ପୂଜା ପଣ୍ଡାଲରେ ବହୁତ ଭିଡ଼ ଜମିଥିଲା। ବର୍ଷା ଆରମ୍ଭ ହେବା ପରେ ଲୋକମାନେ ପଣ୍ଡାଲ ଭିତରକୁ ଯିବାକୁ ଲାଗିଲେ ଏବଂ ଠିକ୍ ସେହି ସମୟରେ ଏହି ଘଟଣା ଘଟିଲା। ଏହି ଘଟଣା ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଘଟିଥିଲା।
ଜଣେ ଭକ୍ତ କହିଲେ, “ମୁଁ ଶୁଣିଲି ଯେ ମଣ୍ଡପର ଏକ ଅଂଶ ଭୁଷୁଡ଼ି ପଡ଼ିଲା। ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ିବା ଆରମ୍ଭ କଲେ; ସେମାନେ ତଳେ ପଡ଼ିଗଲେ ଏବଂ ଅନ୍ୟମାନଙ୍କ ପାଦ ତଳେ ଦଳି ହୋଇଗଲେ।” ଏହି ସମୟରେ, ଅନ୍ୟ ଜଣେ ଭକ୍ତ କହିଛନ୍ତି ଯେ, ସେଠାରେ ପ୍ରବଳ ଭିଡ଼ ଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଲୋକମାନେ ମଣ୍ଡପ ଭିତରକୁ ଆସିବାରୁ ଭିଡ଼ ବଢ଼ିଗଲା ଏବଂ ଏକାସାଙ୍ଗରେ ଅନେକ ଲୋକଙ୍କ ଆଗମନ ଯୋଗୁଁ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଲା।
ରାଜ୍ୟପାଳ ରବି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, “କୋଲକାତାର ଏକ ଦୁର୍ଗା ପୂଜା ପଣ୍ଡାଲରେ ଭିଡ଼ ଯୋଗୁଁ ଘଟିଥିବା ଦଳାଚକଟା ଘଟଣାରେ ଅମୂଲ୍ୟ ଜୀବନ ହାନି ହୋଇଥିବାରୁ ମୁଁ ଗଭୀର ମର୍ମାହତ। ଦୁଃଖର ଏହି ମୁହୂର୍ତ୍ତରେ, ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।” ଅନ୍ୟପକ୍ଷରେ, ପଶ୍ଚିମବଙ୍ଗ ସରକାର ଏକ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର (18003455678) ଜାରି କରିଛନ୍ତି।
ସମ୍ବାଦ ସଂସ୍ଥା ପିଟିଆଇ (PTI) ସହ କଥାବାର୍ତ୍ତା ବେଳେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ବର୍ଷା ଆରମ୍ଭ ହେବା ମାତ୍ରେ ଚୋରବାଗାନ ଦୁର୍ଗା ପୂଜା ପାଣ୍ଡାଲ ବାହାରେ ଅପେକ୍ଷା କରିଥିବା ଭିଡ଼ ହଠାତ୍ ଆଗକୁ ମାଡ଼ି ଆସିଥିଲା, ଯାହା ଫଳରେ କିଛି ଲୋକ ରାସ୍ତାରେ ପଡ଼ିଯାଇଥିଲେ ଏବଂ ସେଠାରେ ଦଳାଚକଟା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା।
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଏକ୍ସ’ (X) ରେ ପୋଷ୍ଟ କରି କହିଛନ୍ତି ଯେ, ଚୋରବାଗାନ ପୂଜା ପଣ୍ଡାଲରେ ଘଟିଥିବା ଦଳାଚକଟା ଘଟଣା ବିଷୟରେ ଜାଣି ସେ ଗଭୀର ଆଘାତ ପାଇଛନ୍ତି ଏବଂ ଦୁଃଖିତ ଅଛନ୍ତି। ସେ ଲେଖିଛନ୍ତି, “ମୁଁ ମା’ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଆହତ ବ୍ୟକ୍ତିମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଏହି କଠିନ ସମୟରେ ସେମାନଙ୍କ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ସାହସ ମିଳୁ।”

