Odisha’s new Governor:ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ;ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି
ଭୁବନେଶ୍ବର:ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆଜି ଶପଥ ଗ୍ରହଣ କରିଛନ୍ତି । ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରସ୍ଥିତ ଲୋକଭବନର ନବନିର୍ମିତ ଅଭିଷେକ ହଲ୍ରେ ଆୟୋଜିତ ସ୍ୱତନ୍ତ୍ର ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନୂଆ ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀପରିଷଦର ସଦସ୍ୟ, ସାଂସଦ, ବିଧାୟକ ଏବଂ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦେଇଛନ୍ତି। ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀଶଙ୍କର ଭୋଇ ଓ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ବି ଏଥିରେ ଯୋଗ ଦେଇଛନ୍ତି।
ସୂଚନାଥାଉକି, ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୬୦୦ ଅତିଥି ଯୋଗ ଦେଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ଝାଡ଼ଖଣ୍ଡରୁ ୩୦୦ ଅତିଥି ଆସିଛନ୍ତି । ସେମାନେ ରାଜ୍ୟ ଅତିଥି ଭବନ, ସର୍କିଟ୍ ହାଉସ୍, ଓଟିଡିସି ପାନ୍ଥନିବାସ ଓ କିଛି ଘରୋଇ ହୋଟେଲରେ ରହିଥିଲେ । ଦିନ ୧୧ଟା ବେଳେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିଲା ।ଗତକାଲି (ଶନିବାର) ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାଙ୍କୁ ସ୍ୱାଗତ କରିଥିଲେ । ବିମାନବନ୍ଦରରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଗତକାଲି ନବନିଯୁକ୍ତ ରାଜ୍ୟପାଳ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।
ମହାପ୍ରଭୁଙ୍କ ଦର୍ଶନ ପରେ ବ୍ରଜମୋହନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ଗର୍ବ ଓ ଗୌରବର କଥା । ଶପଥ ଗ୍ରହଣ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ଇଚ୍ଛା ଥିଲା । ମହାପ୍ରଭୁଙ୍କ ଅପାର କରୁଣା ଓ ଆଶୀର୍ବାଦରେ ଅତି ସୁନ୍ଦର ଦର୍ଶନ ହେଲା ।
ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଲୋକସେବା ଭବନ ଓ ରାଜଭବନ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

