Latest Odisha News

BREAKING NEWS

ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼: ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ମହାରାଷ୍ଟ୍ର ସରକାର; କାର୍ଯ୍ୟାନୁଷ୍ଠାନ ଦାବି କଲା AICWA

ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଗାଡ଼ି ଉପରକୁ ମୁମ୍ବାଇର ଜୁହୁ ଅଞ୍ଚଳରେ ହୋଇଥିବା ଗୁଳିମାଡ଼ ଘଟଣା ପରେ ମହାରାଷ୍ଟ୍ର ସରକାର ସମସ୍ତ ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ ରବିବାର (ଅକ୍ଟୋବର ୧୮) ସନ୍ଧ୍ୟାରେ ଜୁହୁର ପୁଷ୍ପା ପାର୍କ ନିକଟରେ କିଛି ଦୁର୍ବୃତ୍ତ ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଟାଇଗର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଡ୍ରାଇଭର ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ଟାଇଗରଙ୍କ ଉପରେ ହୋଇଥିବା ଏହି ମରଣାନ୍ତକ ଆକ୍ରମଣ ଖବର ସମଗ୍ର ସିନେ ଜଗତରେ ଭୟର ଲହରୀ ଖେଳିଯାଇଛି। ଆକ୍ରମଣ ପରେ ଏକ ପୋଷ୍ଟ ଭାଇରାଲ ହୋଇଥିଲା। ଯେଉଁଥିରେ ଲରେନ୍ସ ଗ୍ୟାଙ୍ଗର ଅନିଲ ପଣ୍ଡିତ ଗୁଳିକାଣ୍ଡର ଦାୟିତ୍ୱ ନେଇଥିଲେ ଏବଂ ଲେଖିଥିଲେ ଯେ ସଲମାନ ଖାନଙ୍କ ସହ କାମ କରୁଥିବା ଯେକୌଣସି ବ୍ୟକ୍ତି ସହ ଏଭଳି ହେବ।ଘଟଣା ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଟାଇଗର ଓ ତାଙ୍କ ପିତା ଜ୍ୟାକି ଶ୍ରଫ୍‌ଙ୍କ ସହ କଥା ହୋଇ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ସେ ରାଜ୍ୟର ସମସ୍ତ ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥାର ପୁନଃ ସମୀକ୍ଷା କରାଯିବ ବୋଲି ଘୋଷଣା କରିଛନ୍ତି।

ଏହି ଆକ୍ରମଣ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ହାତ ଥିବା ସନ୍ଦେହ କରାଯାଉଛି। ଉପମୁଖ୍ୟମନ୍ତ୍ରୀ ସିନ୍ଦେ ଅପରାଧୀଙ୍କୁ ସେମାନଙ୍କ ଭାଷାରେ ଜବାବ ଦିଆଯିବ ଏବଂ ୯୦ ଦଶକ ଭଳି ମୁମ୍ବାଇରୁ ଗ୍ୟାଙ୍ଗ୍‌ରାଜ୍ ଶେଷ କରାଯିବ ବୋଲି ଦୃଢ଼ ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ମାମଲାର ଶୀଘ୍ର ତଦନ୍ତ କରିବାକୁ ମୁମ୍ବାଇ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୋଲିସ ଦ୍ୱାରା ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.