Latest Odisha News

BREAKING NEWS

କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ କାହିଁକି ଚୁପ୍ ଡବଲ୍ ଇଞ୍ଜିନ ସରକାର; ବର୍ଷିଲେ ନବୀନ…

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର କୋଟିଆରେ ନିର୍ବାଚନ କରାଇବା ନେଇ ଆନ୍ଧ୍ର ପ୍ରଦେଶର ଘୋଷଣା ଉପରେ ବିଜେପି ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇ ବର୍ଷିଛନ୍ତି ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ।

ସେ ଏକ ପୋଷ୍ଟରେ କହିଛନ୍ତି ଯେ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ‘କୋଟିଆ’ରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ଘୋଷଣା କରିବା ଘଟଣା ଅତ୍ୟନ୍ତ ଉଦ୍‌ବେଗଜନକ। ଓଡ଼ିଶାର ଅଖଣ୍ଡତା ଓ ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଚିଠି ଲେଖିଥିଲି। ମୁଖ୍ୟମନ୍ତ୍ରୀ ଭାବେ ମୋ କାର୍ଯ୍ୟକାଳ ସମୟରେ ଆମେ ଆମ ରାଜ୍ୟର ଭୌଗୋଳିକ ଅଖଣ୍ଡତା ରକ୍ଷା କରିବା ପାଇଁ ଲଢ଼େଇ କରୁଥିଲୁ। ବିଜେପି ନେତାମାନେ ଅତୀତରେ ବାରମ୍ବାର କହିଛନ୍ତି ଯେ କୋଟିଆ ଓଡ଼ିଶାର ଅଂଶ ଏବଂ ସେମାନେ “ଆନ୍ଧ୍ର ଫେରିଯାଅ” ବୋଲି ସ୍ଲୋଗାନ ମଧ୍ୟ ଦେଇଥିଲେ।

୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ ଡବଲ୍ ଇଞ୍ଜିନ୍ ସରକାର କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ କରିବ, ଓଡ଼ିଶାର ଭୌଗୋଳିକ ଅଖଣ୍ଡତାକୁ ସୁରକ୍ଷିତ ରଖିବ ଏବଂ ଓଡ଼ିଆ ସ୍ୱାଭିମାନର ପୁନଃପ୍ରତିଷ୍ଠା କରିବ। ଆଜି ଓଡ଼ିଶାରେ ତଥାକଥିତ ଡବଲ୍ ଇଞ୍ଜିନ୍ ସରକାର ଥିବା ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ‘କୋଟିଆ’ରେ ନିର୍ବାଚନ ଘୋଷଣା କରିବା ଅତ୍ୟନ୍ତ ଚିନ୍ତାଜନକ। ‘କୋଟିଆ’ ଓଡ଼ିଶାର ବୋଲି ବିଜେପି ଦେଇଥିବା ଆଶ୍ୱାସନାର କ’ଣ ହେଲା? ଅପରପକ୍ଷରେ ଆନ୍ଧ୍ରପ୍ରଦେଶରେ ଶାସନ କରୁଥିବା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି), କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ସଂଖ୍ୟାଗରିଷ୍ଠତା ବଜାୟ ରଖିବା ପାଇଁ ଏକ ପ୍ରମୁଖ ସହଯୋଗୀ ଦଳ। ରାଜନୈତିକ ନିର୍ଭରଶୀଳତା କ’ଣ ଓଡ଼ିଶା ବିଜେପି ସରକାରଙ୍କ ନୀରବତା ଏବଂ ଓଡ଼ିଶାର ସ୍ୱାର୍ଥ ଓ ଭୌଗୋଳିକ ଅଖଣ୍ଡତା ସହ ସାଲିସ କରିବାର ମନୋଭାବ ପଛର କାରଣ ବୋଲି ନବୀନ ପ୍ରଶ୍ନ କରିଛନ୍ତି।

ସେହିପରି ୨୦୨୫ ମସିହାରେ ଗଠିତ ୧୬ ଜଣିଆ ଉଚ୍ଚସ୍ତରୀୟ କୋଟିଆ କମିଟି କ’ଣ ସୁପାରିସ କରିଥିଲା ଏବଂ ସେହି ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି? ଓଡ଼ିଶାର ଲୋକମାନେ ଏହି ପ୍ରତିଶ୍ରୁତିଗୁଡ଼ିକ ସମ୍ପର୍କରେ ସ୍ପଷ୍ଟ ଉତ୍ତର ଏବଂ ଉତ୍ତରଦାୟିତ୍ୱ ଆଶା କରୁଛନ୍ତି। ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଏବଂ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଡବଲ୍ ଇଞ୍ଜିନ୍ ସରକାର ଦୃଢ଼ ଭାବରେ ଠିଆ ହେବେ ନା ଆଉଥରେ କେନ୍ଦ୍ରର ଚାପ ଆଗରେ ମୁଣ୍ଡ ନୁଆଁଇବେ?

“ଆନ୍ଧ୍ର ଫେରିଯାଅ” ସ୍ଲୋଗାନ କ’ଣ କେବଳ ଭୋଟ୍ ହାତେଇବା ପାଇଁ ଏକ ନିର୍ବାଚନୀ ପ୍ରହସନ ଥିଲା? ଓଡ଼ିଶାବାସୀଙ୍କୁ ଦିଆଯାଇଥିବା ଅନ୍ୟ ପ୍ରତିଶ୍ରୁତିଗୁଡ଼ିକ ଭଳି ଏହା ମଧ୍ୟ କ’ଣ ଏକ ଅପୂରଣୀୟ ପ୍ରତିଶ୍ରୁତି ହୋଇ ରହିଯିବ? ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେବା ସହ ଓଡ଼ିଶାର ଭୌଗୋଳିକ ଅଖଣ୍ଡତାର ସୁରକ୍ଷା ଏବଂ କୋଟିଆ ଉପରେ ଏହାର ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.