ଛତ୍ରପୁର: ବିବାହର ପ୍ରତିଶ୍ରୁତି ଦେଇ ମହିଳାମାନଙ୍କୁ ୧.୧୯ କୋଟି ଟଙ୍କାର ସାଇବର ଠକେଇ କରିଥିବା ଜଣେ ମାଷ୍ଟରମାଇଣ୍ଡକୁ ଗଞ୍ଜାମ ସାଇବର ପୋଲିସ ଗୋଆରୁ ଗିରଫ କରିଛି। ୩୯ ବର୍ଷୀୟ ଅଭିଯୁକ୍ତର ନାମ ଜିନୁ ସାହାନି ଓରଫ ରାକେଶ ରାଜପୁତ, ଯିଏକି କନ୍ଧମାଳ ଜିଲ୍ଲାର ବାସିନ୍ଦା। ସେ ମାଟ୍ରିମୋନିଆଲ୍ ୱେବସାଇଟ୍ ମାଧ୍ୟମରେ ବିଶେଷ କରି ବିଧବା ମହିଳାମାନଙ୍କୁ ଟାର୍ଗେଟ୍ କରି ଏହି ବଡ଼ ଧରଣର ଠକେଇ କରୁଥିଲା।
କେମିତି ହେଉଥିଲା ଠକେଇ?
ଅଭିଯୁକ୍ତ ଜଣକ Jeevansathi.com ଏବଂ Shaadi.com ଭଳି ପ୍ରସିଦ୍ଧ ମାଟ୍ରିମୋନିଆଲ୍ ସାଇଟ୍ରେ ଭୁବନେଶ୍ୱରର ଡାକ୍ତର ‘ସାଇ କୃପା ଦାସ’ ନାମରେ ନକଲି ପ୍ରୋଫାଇଲ୍ ତିଆରି କରିଥିଲା। ମହିଳାମାନଙ୍କ ସହ ହ୍ୱାଟସ୍ଆପ୍ ଭିଡିଓ କଲ୍ ଓ ମିଠା କଥା କହି ପ୍ରଥମେ ସେ ବିଶ୍ୱାସ ଜିତୁଥିଲା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଏହିପରି ଜାଲରେ ଫସାଇ ସେ ପ୍ରାୟ ୬୦ ଲକ୍ଷ ଟଙ୍କା ଠକି ନେଇଥିଲା। କେବଳ ଏତିକି ନୁହେଁ ଅଭିଯୁକ୍ତ ଜଣଙ୍କ ଏହିପରି ବହୁ ଲୋକଙ୍କୁ ୧ କୋଟି ୧୯ ଲକ୍ଷ ଟଙ୍କାର ଠକେଇ କରିବା ସହ ବିଭିନ୍ନ ଥାନାରେ ୫ ଟି ମାମଲା ମଧ୍ୟ ରହିଛି।
ପୋଲିସ ସୂଚନା ଅନୁସାରେ, ଭଞ୍ଜନଗରର ଜଣେ ମହିଳା ପୁନଃବିବାହ ପାଇଁ ମାଟ୍ରିମୋନି ସାଇଟରେ ପ୍ରୋଫାଇଲ୍ ଖୋଲିଥିଲେ। ଏହି ସୁଯୋଗରେ ଅଭିଯୁକ୍ତ ନିଜକୁ ଭୁବନେଶ୍ୱରର ସାଇ କୃପା ଦାସ’ ଭାବେ ପରିଚୟ ଦେଇ ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା। ପରେ ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ବିଭିନ୍ନ ମିଥ୍ୟା କାହାଣୀ ଶୁଣାଇ ଟଙ୍କା ଆଦାୟ କରିଥିଲା। ନକଲି ଫଟୋ, ଭିଡିଓ କଲ୍ ଓ ଜାଲ୍ ଚିକିତ୍ସା କାଗଜପତ୍ର ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ବିଶ୍ୱାସ ଜନ୍ମାଇଥିଲା। ତାଙ୍କ କଥାରେ ବିଶ୍ୱାସ କରି ଅଭିଯୋଗକାରୀ ସୁନାଗହଣା ବନ୍ଧକ ରଖିବା ସହ ପରିବାର ଓ ଅନ୍ୟମାନଙ୍କଠାରୁ ଧାର କରି ପ୍ରାୟ ୬୦ ଲକ୍ଷ ଟଙ୍କା ବିଭିନ୍ନ ବ୍ୟାଙ୍କ ଖାତାକୁ ପଠାଇଥିଲେ।
ଗଞ୍ଜାମ ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ (CC & EO) ପୋଲିସ ଷ୍ଟେସନ ଏହାର ତଦନ୍ତ କରି ଅଭିଯୁକ୍ତକୁ ଗୋଆରୁ ଗିରଫ କରିଛି। ତା’ ପାଖରୁ ୭ଟି ମୋବାଇଲ୍, ୭ଟି ସିମ୍ କାର୍ଡ, ୧୨ଟି ନକଲି ରବର ଷ୍ଟାମ୍ପ ଏବଂ ବ୍ୟାଙ୍କର ନକଲି ଡିଡି (DD) ରସିଦ ଜବତ କରାଯାଇଛି। ଏହି ମାମଲାରେ ତାଙ୍କର ଜଣେ ସହଯୋଗୀ ଉତ୍ତମ କୁମାର ସାହୁଙ୍କୁ ପୋଲିସ ପୂର୍ବରୁ ହିଁ ଗିରଫ କରିସାରିଛି। ପୋଲିସ ତଦନ୍ତରୁ ଅଭିଯୁକ୍ତଙ୍କ ପୂର୍ବରୁ ମଧ୍ୟ ଏକାଧିକ ଠକେଇ ମାମଲାରେ ସମ୍ପୃକ୍ତି ଥିବା ଜଣାପଡ଼ିଛି। ବିଶେଷକରି ନକଲି ପ୍ରୋଫାଇଲ୍ ତିଆରି କରି ବିଧବା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଏବଂ ନିଯୁକ୍ତି ନାମରେ ମଧ୍ୟ୍ ଠକେଇ କରୁଥିବା ପୋଲିସ କହିଛି।
୨୦୧୫ ମସିହାରୁ ସେ ବିଭିନ୍ନ ଠକେଇ ଘଟଣାରେ ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଛି। ପୁରୀ କୋଣାର୍କ, ବ୍ରହ୍ମପୁର ସାଇବର କ୍ରାଇମ୍ ଓ ଭୁବନେଶ୍ୱରର ବିଭିନ୍ନ ଥାନାରେ ତାଙ୍କ ବିରୋଧରେ ମାମଲା ରହିଛି। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଉତ୍ତମ କୁମାର ସାହୁ ଓରଫ ମିକି (୩୨)ଙ୍କୁ ପୁଲିସ ପୂର୍ବରୁ ଗିରଫ ହୋଇଛି ।
ମାଟ୍ରିମୋନିଆଲ୍ ଆପ୍ରେ କାହା ସହିତ କଥା ହେବା ପୂର୍ବରୁ ତାଙ୍କର ଆଧାର କାର୍ଡ, ଚାକିରି କିମ୍ବା ସାମାଜିକ ପୃଷ୍ଠଭୂମିକୁ ଭଲଭାବେ ଯାଞ୍ଚ କରନ୍ତୁ। କେବେ ବି ଦେଖା କରିନଥିବା କିମ୍ବା ସମ୍ପୂର୍ଣ୍ଣ ଚିହ୍ନିନଥିବା ଅନଲାଇନ୍ ବନ୍ଧୁ/ପାଟନରଙ୍କୁ ମେଡିକାଲ୍ ଇମରଜେନ୍ସି ବା ଅନ୍ୟ କୌଣସି ବାହାନାରେ ଟଙ୍କା ପଠାନ୍ତୁ ନାହିଁ। ନିଜର ବ୍ୟାଙ୍କ ଆକାଉଣ୍ଟ ତଥ୍ୟ, OTP କିମ୍ବା ଅତି ବ୍ୟକ୍ତିଗତ ଫଟୋ ସେୟାର କରନ୍ତୁ ନାହିଁ।

