ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ନେତା କିମ ଜୋଙ୍ଗ ଉନଙ୍କୁ ବ୍ରେନ୍ ହେମେରେଜ୍ (ମସ୍ତିଷ୍କରେ ରକ୍ତସ୍ରାବ), କୋମା ଏବଂ ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଦାବି କରାଯାଇଥିଲା । କିନ୍ତୁ ଏହି ଦାବିଗୁଡ଼ିକର ସମର୍ଥନରେ କୌଣସି ଠୋସ୍ ବା ପ୍ରମାଣିକ ସୂଚନା ନାହିଁ । ଏହି ସବୁ କଳ୍ପନାଜଳ୍ପନା ଓ ଗୁଜବ ମଧ୍ୟରେ ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ‘କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି’ କିମ୍ ଜୋଙ୍ଗ୍ ଉନ୍ଙ୍କ କିଛି ନୂତନ ଫଟୋ ଜାରି କରିଛି । ଜାରି କରାଯାଇଥିବା ଫଟୋଗୁଡ଼ିକରେ କିମ୍ ଏକ ପ୍ରଦର୍ଶନୀ ପରିଦର୍ଶନ କରି ପିଲାମାନଙ୍କ ଜୋତା ଏବଂ ମହିଳାଙ୍କ ପୋଷାକ ଆଦି ଯାଞ୍ଚ କରୁଥିବା ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରୁଥିବା ନଜର ଆସିଛନ୍ତି ।
ଆମେରିକାରେ ରହୁଥିବା ଜଣେ ଚୀନ୍ ଅସନ୍ତୁଷ୍ଟ ସୋସିଆଲ ମିଡିଆରେ କିମ୍ଙ୍କ ମୃତ୍ୟୁ ଏବଂ ବେଜିଂରୁ ଡାକ୍ତରୀ ଦଳ ଯିବା ନେଇ ପ୍ରଥମେ ଦାବି କରିଥିଲେ, ଯାହାକୁ ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଉତ୍ତର କୋରିଆ ପକ୍ଷରୁ ପ୍ରକାଶିତ ଏହି ଫଟୋଗୁଡ଼ିକର ସ୍ୱାଧୀନ ଭାବେ ସତ୍ୟତା ଯାଞ୍ଚ କରାଯାଇପାରି ନାହିଁ । ଉତ୍ତର କୋରିଆ ଭଳି ଏକ ଗୁପ୍ତ ଏବଂ କଟକଣାପୂର୍ଣ୍ଣ ଦେଶରେ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରାୟତଃ ଏଭଳି କଳ୍ପନାଜଳ୍ପନା ଏବଂ ଗୁଜବ ସୃଷ୍ଟି ହୋଇଥାଏ । ପୂର୍ବ ବର୍ଷଗୁଡ଼ିକରେ ମଧ୍ୟ (ଯଥା ୨୦୨୦ ମସିହାରେ) ତାଙ୍କ ଅନୁପସ୍ଥିତି ସମୟରେ ଏଭଳି ସମାନ ଗୁଜବ ପ୍ରସାରିତ ହୋଇଥିଲା । କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି’ ଏବଂ ଦେଶର ଅନ୍ୟାନ୍ୟ ସରକାରୀ ଗଣମାଧ୍ୟମ ପ୍ରାୟତଃ ଏଭଳି ଜଳ୍ପକଳ୍ପନାକୁ ଖଣ୍ଡନ କରିବା ପାଇଁ କିମ୍ଙ୍କର ନୂତନ କାର୍ୟ୍ୟକ୍ରମ ଏବଂ ପରିଦର୍ଶନର ଫଟୋ କିମ୍ବା ଭିଡିଓ ସାମାନ୍ୟ ବିଳମ୍ବରେ ଜାରି କରିଥାନ୍ତି ।

