Latest Odisha News

BREAKING NEWS

Naveen Backs CJP Leaders: କକ୍ରୋଚ୍ ଜନତା ପାର୍ଟି ସମର୍ଥନରେ ବାହାରିଲେ ନବୀନ ପଟ୍ଟନାୟକ! ଆଶୁତୋଷ ଓ ସୌରଭଙ୍କୁ ତୁରନ୍ତ ମୁକ୍ତ କରିବାକୁ କଲେ ଦାବି

ଭୁବନେଶ୍ୱର/ନୂଆଦିଲ୍ଲୀ: ଦିଲ୍ଲୀରେ ଅଟକ ଥିବା କକ୍ରୋଚ୍ ଜନତା ପାର୍ଟି (CJP)ର ନେତା ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି ଓଡ଼ିଶା ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ଜାତୀୟ ପତାକା ଉତ୍ତୋଳନ କରିବା ଘଟଣା ପାଇଁ ଏତେ ଦୀର୍ଘ ସମୟ ଧରି ଅଟକ ରଖିବା ଉଚିତ ନୁହେଁ ବୋଲି ସେ ମତ ଦେଇଛନ୍ତି। ଉଭୟଙ୍କ ନ୍ୟାୟିକ ହେପାଜତର ସମୀକ୍ଷା କରି ତୁରନ୍ତ ମୁକ୍ତ କରିବାକୁ ନବୀନ ଦାବି କରିଛନ୍ତି।

ନବୀନ ନିଜ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ନିଷିଦ୍ଧ ଅଞ୍ଚଳରେ ଜାତୀୟ ପତାକା ଉତ୍ତୋଳନ କରିବା ଘଟଣା ପାଇଁ ଦୀର୍ଘ ସମୟ ଧରି ଅଟକ ରଖିବା ଯଥାର୍ଥ ନୁହେଁ। ଯୁବପିଢ଼ିଙ୍କ ମନରେ ଆଇନର ଶାସନ ଓ ସମ୍ବିଧାନ ପ୍ରଦତ୍ତ ଅଧିକାର ପ୍ରତି ଆସ୍ଥା ଅତୁଟ ରଖିବା ପାଇଁ ନ୍ୟାୟପାଳିକା ଓ କାର୍ଯ୍ୟପାଳିକାକୁ ଉଚିତ ପଦକ୍ଷେପ ନେବାକୁ ପଡ଼ିବ।

ତେବେ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୩ରେ ଦିଲ୍ଲୀର ଜନ୍ତର ମନ୍ତର ଅଞ୍ଚଳରେ ଅନୁମତି ବିନା ପ୍ରବେଶ କରିବା ଅଭିଯୋଗରେ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ପୋଲିସ ଅଟକ ରଖିଥିଲା। ଏହି ଅଞ୍ଚଳକୁ ପ୍ରତିବାଦ ସ୍ଥଳ ଭାବେ ନିର୍ଦ୍ଧାରିତ ରଖାଯାଇନଥିବା ସତ୍ତ୍ୱେ ସେଠାରେ ପ୍ରବେଶ କରି ଜାତୀୟ ପତାକା ଉତ୍ତୋଳନ ଓ ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଥିଲା। ପୋଲିସର ଦାବି ଥିଲା ଯେ ଏଭଳି କାର୍ଯ୍ୟ ଦ୍ୱାରା ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ଥିଲା।

ଅକ୍ଟୋବର ୧୪ରେ ଉଭୟଙ୍କୁ ପାଞ୍ଚ ଦିନର ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ପରେ ଅକ୍ଟୋବର ୧୯ରେ ଆଉ ଦୁଇ ଦିନ ପାଇଁ ହେପାଜତ ଅବଧି ବଢ଼ାଯାଇଥିଲା। ଫଳରେ ଉଭୟ ଏବେ ତିହାର ଜେଲ୍‌ରେ ରହିଛନ୍ତି ।

ସେପଟେ CJP ପକ୍ଷରୁ ଉଭୟଙ୍କ ହେପାଜତ ବୃଦ୍ଧି ଆଦେଶକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଦଳର ଦାବି, ଜାମିନଦାରଙ୍କ କାଗଜପତ୍ର ଦାଖଲ ହେବା ସତ୍ତ୍ୱେ ମୁକ୍ତି ପ୍ରକ୍ରିୟାରେ ବିଳମ୍ବ କରାଯାଇଛି। ଅନ୍ୟପକ୍ଷରେ, ପୋଲିସ ଓ ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ପୁନର୍ବାର ଆଇନଶୃଙ୍ଖଳା ଭଙ୍ଗ ହେବାର ଆଶଙ୍କା ଦର୍ଶାଯାଇଛି।

ଅନ୍ୟପଟେ ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କ ସମର୍ଥନରେ ଠିଆ ହୋଇଥିବାରୁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ। “ସୌରଭ ଓ ଆଶୁଙ୍କ ସହ ଠିଆ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ” ବୋଲି ସେ ନବୀନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି।

ତେବେ ଏହି ମାମଲାରେ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଯୁବ କର୍ମୀଙ୍କ ଅଟକ ଓ ସମ୍ବିଧାନ ପ୍ରଦତ୍ତ ଅଧିକାରକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିଛି। ତେବେ ଉଭୟଙ୍କୁ କେବେ ଜେଲରୁ ମୁକ୍ତ ହେବେ, ତାହା ଉପରେ ଏବେ ନଜର ରହିଛି ।

Leave A Reply

Your email address will not be published.