Latest Odisha News

BREAKING NEWS

ପୂଜା ଭିଡ଼ରେ ଛିନତାଇ କରୁଥିଲା ‘ବଞ୍ଜାରା ଗ୍ୟାଙ୍ଗ୍’; ୭ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଦଶହରା ପର୍ବର ଧୁମ୍‌ଧାମ୍ ଓ ଭିଡ଼ ମଧ୍ୟରେ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ଲୁଟେରା ଗ୍ୟାଙ୍ଗକୁ ଧରିଛି। ଏଥିରେ ଲୁଟ୍‌ପାଟ୍ ଓ ମୋବାଇଲ୍ ଚୋରି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ମହିଳାଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଭିଡ଼ର ସୁଯୋଗ ନେଇ ଶ୍ରଦ୍ଧାଳୁମାନଙ୍କୁ ଟାର୍ଗେଟ୍ କରୁଥିବା ଏକ କୁଖ୍ୟାତ ୫ ଜଣିଆ ଅନ୍ତଃରାଜ୍ୟ ‘ବଞ୍ଜାରା ଗ୍ୟାଙ୍ଗ୍’କୁ ମଧ୍ୟ ପୋଲିସ୍ ଓଲ୍ଡ ଷ୍ଟେସନ୍ ବଜାର ପୂଜା ମଣ୍ଡପ ନିକଟରୁ ଧରିଛି। ପୋଲିସ୍ ଦୁଇ ଜଣ ବି.ଟେକ୍ ଛାତ୍ରଙ୍କୁ ଗିରଫ କରିଛି, ଯେଉଁମାନେ ‘ଇନ୍‌ଫୋ ଭ୍ୟାଲି’ ଥାନା ଅଞ୍ଚଳର ନିଛାଟିଆ ରାସ୍ତାରେ ଅସ୍ତ୍ରଶସ୍ତ୍ର ଦେଖାଇ ଲୁଟ୍‌ପାଟ୍ କରୁଥିବା ଅଭିଯୋଗ ରହିଛି। ଘଟଣାର ମାତ୍ର ୧୨ ଘଣ୍ଟା ମଧ୍ୟରେ ସେମାନଙ୍କୁ ଧରାଯାଇଥିଲା ଏବଂ ସେମାନଙ୍କ ନିକଟରୁ ଲୁଟ୍ ସାମଗ୍ରୀ ସହ ଏକ ବାଇକ୍ ଓ ଏକାଧିକ ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ଅନ୍ୟ ଏକ ଘଟଣାରେ ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ନିକଟରୁ ପୋଲିସ୍ ୫ ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ୪ ଜଣ ମହିଳା ଅଛନ୍ତି। ଅଭିଯୋଗ ଅନୁଯାୟୀ, ସେମାନେ ପୂଜା ସମୟରେ ହେଉଥିବା ଭିଡ଼ର ଫାଇଦା ଉଠାଇ ଲୋକଙ୍କ ପକେଟ୍ ମାର୍ କରି ସ୍ମାର୍ଟଫୋନ୍ ଚୋରି କରୁଥିଲେ। ଅଭିଯୁକ୍ତମାନଙ୍କ ନିକଟରୁ ୫ଟି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍, ଅନ୍ୟାନ୍ୟ ଚୋରା ସାମଗ୍ରୀ, ଦୁଇ ଚକିଆ ଗାଡ଼ି ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।

ସେହିପରି ଦୁର୍ଗା ପୂଜା ପାଇଁ ଜମା ହୋଇଥିବା ପ୍ରବଳ ଭିଡ଼ ଭିତରେ ‘ବଞ୍ଜାରା ଗ୍ୟାଙ୍ଗ୍’ ଲୋକଙ୍କୁ ଟାର୍ଗେଟ୍ କରୁଥିଲା ଏବଂ ସେମାନଙ୍କ ଠାରୁ ସୁନା ଚେନ୍, ପର୍ସ ଓ ମୋବାଇଲ୍ ଫୋନ୍ ଛଡ଼ାଇ ନେଉଥିଲା। ଅପରପକ୍ଷରେ ଭିଡ଼ ଭିତରେ ଜଣେ ମହିଳାଙ୍କୁ ଟାର୍ଗେଟ୍ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ଧରି ପକାଇଥିଲେ ଲୋକମାନେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ହେପାଜତକୁ ନେବା ପୂର୍ବରୁ ସେମାନଙ୍କୁ ଛେଚିଥିଲେ ସ୍ଥାନୀୟ ଲୋକେ।

Leave A Reply

Your email address will not be published.