ECI Internal Conflict: ନିର୍ବାଚନ ଆୟୋଗରେ ବଢ଼ୁଛି ମତଭେଦ! ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଦୁଇ ନିର୍ବାଚନ ଆୟୁକ୍ତଙ୍କ ଅଭିଯୋଗ, RTIରୁ ବଡ ଖୁଲାସା…
ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ (ECI) ମଧ୍ୟରେ ମତଭେଦକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ (RTI) ଅନୁଯାୟୀ ମିଳିଥିବା ଦସ୍ତାବିଜରୁ ଜଣାପଡ଼ିଛି ଯେ, ଦୁଇ ନିର୍ବାଚନ ଆୟୁକ୍ତ ଜଣେ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଉପରେ ଆପତ୍ତି ଉଠାଇ କ୍ୟାବିନେଟ୍ ସଚିବ ଟି.ଭି. ସୋମନାଥନଙ୍କୁ ପୃଥକ୍ ପୃଥକ୍ ଚିଠି ଲେଖିଥିଲେ। ଏହି ଘଟଣା ନିର୍ବାଚନ ଆୟୋଗ ମଧ୍ୟରେ ପ୍ରଶାସନିକ ସମନ୍ୱୟକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି।
RTIରୁ ମିଳିଥିବା ଦସ୍ତାବିଜ ଅନୁସାରେ, ନିର୍ବାଚନ ଆୟୁକ୍ତ ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀ ୨୯ ଜୁଲାଇ ୨୦୨୬ରେ କ୍ୟାବିନେଟ୍ ସଚିବ ଟି.ଭି. ସୋମନାଥନଙ୍କୁ ଅଲଗା ଅଲଗା ଚିଠି ଲେଖିଥିଲେ। ଏହି ଚିଠିଗୁଡ଼ିକରେ ନିର୍ବାଚନ ଆୟୋଗର ଜଣେ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟପଦ୍ଧତିକୁ ନେଇ ଆପତ୍ତି ପ୍ରକାଶ କରାଯାଇଥିଲା। ଏଥିସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ମଧ୍ୟ ଦାବି କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଏହି ଚିଠିଗୁଡ଼ିକ ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ମନୀଷ ଗର୍ଗ ଏବଂ ତାଙ୍କ ଦ୍ୱାରା ଜାରି ହୋଇଥିବା ଏକ ଆଦେଶ ସହ ଜଡ଼ିତ। ଏହି ଆଦେଶରେ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନରେ ପରିବର୍ତ୍ତନ କରାଯାଇଥିଲା। ଦୁଇ ନିର୍ବାଚନ ଆୟୁକ୍ତଙ୍କ ଅଭିଯୋଗ ଅନୁସାରେ, ଆୟୋଗ କିମ୍ବା ସମ୍ପୃକ୍ତ ଅଧିକାରୀମାନଙ୍କ ସହ ପୂର୍ବରୁ କୌଣସି ଆଲୋଚନା ନକରି ଏହି ପରିବର୍ତ୍ତନ କରାଯାଇଥିଲା। ଏହି କାରଣରୁ ସେମାନେ ଆପତ୍ତି ଉଠାଇବା ସହ ମାମଲାରେ ଉପଯୁକ୍ତ ପଦକ୍ଷେପ ନେବାକୁ କ୍ୟାବିନେଟ୍ ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।
ନିର୍ବାଚନ ଆୟୋଗ ମଧ୍ୟରେ ମତଭେଦକୁ ନେଇ ଏହା ପ୍ରଥମ ଘଟଣା ନୁହେଁ। ‘ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ରେ ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୧୦ ମାସ ମଧ୍ୟରେ ଦୁଇ ନିର୍ବାଚନ ଆୟୁକ୍ତ ୧୪ ଥର ଆନୁଷ୍ଠାନିକ ଭାବେ କିଛି ପଦକ୍ଷେପ ଉପରେ ଆପତ୍ତି ଜଣାଇଥିଲେ।
ଏହି ଆପତ୍ତିଗୁଡ଼ିକ ମୁଖ୍ୟତଃ ନୂଆ ଭୋଟରଙ୍କ ନାମ ଭୋଟର ତାଲିକାରେ ଯୋଡ଼ିବା ଏବଂ ତାଲିକାରୁ ଭୋଟରଙ୍କ ନାମ ହଟାଇବା ଭଳି ପ୍ରସଙ୍ଗ ସହ ଜଡ଼ିତ ଥିଲା। ଏଥିସହ ଭୋଟର ଡାଟାବେସ୍ର ବିଶ୍ୱସନୀୟତାକୁ ନେଇ ମଧ୍ୟ ସେମାନେ ନିଜର ଚିନ୍ତା କ୍ୟାବିନେଟ୍ ସଚିବଙ୍କ ସମ୍ମୁଖରେ ରଖିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
RTIରୁ ସାମ୍ନାକୁ ଆସିଥିବା ଏହି ଦସ୍ତାବିଜ ନିର୍ବାଚନ ଆୟୋଗ ଭିତରେ ପ୍ରଶାସନିକ ନିଷ୍ପତ୍ତି, ଅଧିକାରୀଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ ଏବଂ ଭୋଟର ତାଲିକା ପରିଚାଳନାକୁ ନେଇ ଚାଲିଥିବା ମତଭେଦକୁ ପଦାରେ ପକାଇଛି ।

