ଚେନ୍ନାଇ: ବିଜୟଙ୍କ ବଡ଼ ନିଷ୍ପତ୍ତିକୁ ମୋଦୀ ସରକାରଙ୍କ ସାବାସୀ! ବିମାନ ଇନ୍ଧନ ଟିକସରେ ବଡ଼ ହ୍ରାସ…ତାମିଲନାଡୁରେ ବିମାନ ଇନ୍ଧନ ଉପରେ ଟିକସ କମାଇ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ। ତାଙ୍କ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ। ବିମାନ ଯାତ୍ରାକୁ ଅଧିକ ସୁଲଭ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ତେବେ ତାମିଲନାଡୁ ସରକାର ବିମାନରେ ବ୍ୟବହୃତ ଇନ୍ଧନ, ଅର୍ଥାତ୍ ଏଭିଏସନ୍ ଟର୍ବାଇନ୍ ଫୁଏଲ୍ (ATF) ଉପରେ ଟିକସ ହ୍ରାସ କରିଛନ୍ତି। ଚେନ୍ନାଇ ବିମାନବନ୍ଦରରେ ଏହି ଟିକସ ୨୯ ପ୍ରତିଶତରୁ ୧୬ ପ୍ରତିଶତକୁ ଖସିଛି। ରାଜ୍ୟର ଅନ୍ୟ ବିମାନବନ୍ଦରଗୁଡ଼ିକରେ ଏହାକୁ ୨୯ ପ୍ରତିଶତରୁ ମାତ୍ର ୧ ପ୍ରତିଶତ କରାଯାଇଛି। ଏହାସହ ଚେନ୍ନାଇ ବାହାର ବିମାନବନ୍ଦରରେ ୪୦ ହଜାର କିଲୋଗ୍ରାମରୁ କମ୍ ସର୍ବାଧିକ ଉଡ଼ାଣ ଓଜନ ଥିବା ଛୋଟ ବିମାନ ପାଇଁ ଇନ୍ଧନ ଟିକସ ୫ ପ୍ରତିଶତରୁ ୧ ପ୍ରତିଶତକୁ କମାଯାଇଛି। ଏହି ରିହାତି ୧ ନଭେମ୍ବର ୨୦୨୬ରୁ ୩୧ ଅକ୍ଟୋବର ୨୦୨୭ ଯାଏଁ ଲାଗୁ ହେବ।
ଯେଉଁଥିରେ ଯାତ୍ରୀଙ୍କୁ ମିଳିପାରେ ବଡ ଆଶ୍ବସ୍ତି । ବର୍ତ୍ତମାନ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ବିମାନ କମ୍ପାନୀଗୁଡ଼ିକର ଖର୍ଚ୍ଚ ବଢ଼ିଛି। ବିମାନ ଚଳାଚଳର ମୋଟ ଖର୍ଚ୍ଚର ଏକ ବଡ଼ ଅଂଶ ଇନ୍ଧନ ପାଇଁ ହୋଇଥାଏ। ତେଣୁ ଟିକସ ହ୍ରାସ ହେଲେ କମ୍ପାନୀଗୁଡ଼ିକର ଖର୍ଚ୍ଚ କମିପାରେ। ଏହା ନୂଆ ବିମାନ ରୁଟ୍ ଆରମ୍ଭ କରିବା ଓ ଆଞ୍ଚଳିକ ବିମାନ ଯୋଗାଯୋଗ ବଢ଼ାଇବାରେ ସହାୟକ ହୋଇପାରେ। ତେବେ ଏହାର ଲାଭ ଯାତ୍ରୀଙ୍କୁ ସିଧାସଳଖ ସେତେବେଳେ ମିଳିବ ଯେତେବେଳେ ଏହାର ପ୍ରଭାବରେ ବିମାନ କମ୍ପାନୀଗୁଡ଼ିକ ଟିକେଟ୍ ଦରରେ ରିହାତି ଦେବେ ।
ଏହି ନିଷ୍ପତ୍ତି ପରେ ବିଜୟ ସରକାରଙ୍କୁ କେନ୍ଦ୍ରୀୟ ମନ୍ତ୍ରୀଙ୍କ ପ୍ରଶଂସା ମିଳିଛି। ତେବେ ଏହାର ପ୍ରକୃତ ପ୍ରଭାବ ବିମାନ ଭଡ଼ା ଓ ନୂଆ ରୁଟ୍ ଉପରେ କେତେ ପଡ଼ୁଛି, ତାହା ଆଗକୁ ସ୍ପଷ୍ଟ ହେବ।

