୭ ବର୍ଷରେ ୧୦୧୬ CAPF ଯବାନଙ୍କ ଆତ୍ମହତ୍ୟା: କର୍ମକ୍ଷେତ୍ରର ଚାପ, ପଦୋନ୍ନତି ଅଭାବ ନା ଆଉ କଣ ରହିଛି କାରଣ ?
କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ଯବାନମାନେ କଠିନ ପରିସ୍ଥିତି, ଅତ୍ୟାଧିକ କାର୍ଯ୍ୟଚାପ ଓ ନିଜର ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଗମ୍ଭୀର ମାନସିକ ଅବସାଦ ଦେଇ ଗତି କରୁଛନ୍ତି। ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ୭ ବର୍ଷ ମଧ୍ୟରେ ୧୦୧୬ ରୁ ଉର୍ଦ୍ଧ୍ୱ CAPF ଯବାନ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ମାନସିକ ସମସ୍ୟା ଓ ଉତ୍ତେଜନା ଯୋଗୁଁ ନିଜର ସହକର୍ମୀ କିମ୍ବା ସାଥୀ ଯବାନଙ୍କୁ ଗୁଳି କରି ହତ୍ୟା କରିବାର ପ୍ରାୟ ୨୪ଟି ଗମ୍ଭୀର ଘଟଣା ସାମ୍ନାକୁ ଆସିସାରିଛି, ଯାହା ବଳର ଶୃଙ୍ଖଳା ଓ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ସଙ୍କଟ ପଛରେ କେତେକ ଅତି ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି ଯେମିତିକି,
୨୦ ବର୍ଷ ଯାଏଁ ପଦୋନ୍ନତି ଅଭାବ : ଅନେକ ଯବାନ ୧୫ ରୁ ୨୦ ବର୍ଷ ଧରି ଗୋଟିଏ ପଦବୀରେ ରହିବା ଦ୍ୱାରା ସେମାନଙ୍କ ମଧ୍ୟରେ ନିରାଶା ଓ ଅସନ୍ତୋଷ ବୃଦ୍ଧି ପାଉଛି।
ଦିନକୁ ମାତ୍ର ୫ ଘଣ୍ଟାର ନିଦ: ନିରନ୍ତର ଡ୍ୟୁଟି ଓ ଅତ୍ୟାଧିକ କାର୍ଯ୍ୟଭାର ହେତୁ *ଯବାନମାନଙ୍କୁ ଦିନକୁ ମାତ୍ର ୪ ରୁ ୫ ଘଣ୍ଟାର ବିଶ୍ରାମ ମିଳୁଛି, ଯାହା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ବିଗାଡ଼ୁଛି।
ଛୁଟି ସମସ୍ୟା ଓ ପାରିବାରିକ ଦୂରତା: ଦୁର୍ଗମ ଅଞ୍ଚଳରେ ଦୀର୍ଘ ମୁତୟନ ଏବଂ ଜରୁରୀ ସମୟରେ ଛୁଟି ନମିଳିବା ଯୋଗୁଁ ପାରିବାରିକ ଚାପ ବଢୁଛି।
ଗ୍ରହଣ କରାଯାଉଥିବା ପଦକ୍ଷେପ:
ସରକାର ଓ ବିଭାଗୀୟ ଅଧିକାରୀମାନେ ଏହି ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ଯବାନମାନଙ୍କ ପାଇଁ ନିୟମିତ ମାନସିକ କାଉନସେଲିଂ, ‘ସିନିୟର-ଜୁନିୟର’ ସମ୍ପର୍କରେ ସୁଧାର ଏବଂ ଛୁଟି ପ୍ରଣାଳୀକୁ ଅଧିକ ସରଳ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଏହା ସହିତ କାର୍ଯ୍ୟସମୟର ଏବଂ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଦାବି ଜୋର ଧରିଛି।

