ନାଗପୁର: ଆଳୁ ଖୋଳୁ ଖୋଳୁ ମିଳିଲେ ମହାଦେବ । ୨ମାସର ଭଡା ନଦେଇ ମାଲିକକୁ ଗାଲୁଆମି କରୁଥିଲା । ପୋଲିସ ରେଡ୍ ପରେ ସାମ୍ନାକୁ ଆସିଲା ନକଲି ଟଙ୍କା କାରବାରର ନେଟୱାର୍କ । ଘଟଣା ଘଟିଛି ନାଗପୁର ଚୈତନ୍ୟନଗର ଥ୍ରୀ ଷ୍ଟାର ସୋସାଇଟିର ଏକ ଭଡା ଘରେ । ସମ୍ପୃକ୍ତ ଭଡା ଘରୁ ୧୬ଶହଟି ନକଲି ୫ଶହ ଟଙ୍କିଆ ନୋଟ୍, ଗୋଟିଏ ଲାପଟପ୍ ଓ ଗୋଟିଏ ପ୍ରିଂଟିଂ ମେସିନ୍ ଜବତ ହୋଇଛି । ଜବତ ନକଲି ନୋଟ୍ର ଆନୁମାନିକ ମୂଲ୍ୟ ୩୭ ଲକ୍ଷ୍ୟ ଟଙ୍କା ହେବ । ସାମାନ୍ୟ ଭଡାଟିଆ ବିବାଦ ଏବେ ଏକ ସମ୍ଭାବ୍ୟ ଅର୍ଥନୈତିକ ଆତଙ୍କବାଦ ଷଡଯନ୍ତ୍ରରେ ପରିଣତ ହୋଇଛି । ଏବେ ତଦନ୍ତରେ ଏଟିଏସ୍ ଓ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସାମିଲ ହୋଇଛନ୍ତି । ଘଟଣାରେ ସମ୍ପୃକ୍ତ ୨୯ ବର୍ଷୀୟ ପୁଷ୍ପମ ଭଣ୍ଡାନେ ଫେରାର ଥିବା ବେଳେ ପୋଲିସ ଛାନବିନ୍ ଜାରି ରଖିଛି । ଗତବର୍ଷ ସେପଟେମ୍ବର ୨୬ରେ ୱାଧୋଡା ଅଂଚଳରେ ଭଡାରେ ଘର ନେଇ ଏହି ନକଲି ଟଙ୍କା କାରବାର ଚଲାଇଥିବା ସୂଚନା ମିଳିଛି । ପୁଷ୍ପମର ଘର ତିମୂର୍ତ୍ତି ନଗରରେ ବୋଲି ଜଣାପଡିଛି ।
ପୁଷ୍ପମ ଉପରେ ଘର ମାଲିକ ରମେଶ ହାର୍ଦ୍ଦେଙ୍କର ବହୁଦିନରୁ ସନ୍ଦେହ ହେଉଥିଲା । ତେଣୁ ଘର ଖାଲି କରିବାକୁ ସେ ପୁଷ୍ପମକୁ ବହୁବାର କରହିଥିଲେ । ହେଲେ ୨ ମାସ ହେବ ଭଡା ଦେଉନଥିଲା ଏବଂ ଘର ଛାଡିବାକୁ ମନା କରୁଥିଲା ପୁଷ୍ପମ୍ । ବାଧ୍ୟ ହୋଇ ପୋଲିସରେ ଜଣାଇଥିଲେ ରମେଶ । ରମେଶଙ୍କ ଅଭିଯୋଗ ପରେ ପୋଲିସ ଟିମ୍ ପହଂଚି ଚାବି ପଡିଥିବା ଦେଖିଥିଲେ । ପୁଷ୍ପମକୁ ଫୋନ୍ କରିଥିଲେ ବି ତାର ଫୋନ୍ ସୁଇଚ୍ ଅଫ୍ ଥିଲା । ତେଣୁ ଘର ମାଲିକ ମାଷ୍ଟର ଚାବିରେ ଘର କବାଟ ଖୋଲିଥିଲେ । କବାଟ ଖୋଲିବା ପରେ ମିଳିଥିଲା ନକଲି ୫ଶହ ଟଙ୍କିଆ, ପ୍ରିଂଟିଂ ମେସିନ୍ । ଏବେ ତଦନ୍ତର ମୁଖ୍ୟ ହେଉଛି, ପୁଷ୍ପମ ତାର ଠିକ୍ ନାମ ନା ନାମ ପରିବର୍ତ୍ତନ କରି ଏଠି ଚଳାଇଥିଲା କାରବାର । ରେଂଟ୍ ଏଗ୍ରିମେଂଟରେ ଦିଆଯାଇଥିବା ତଥ୍ୟ ସତ ନା ମିଛ । ପୋଲିସ ସବୁ ଦିଗରୁ ତଦନ୍ତ କରିବା ସହ ସମ୍ପୃକ୍ତ ପୁଷ୍ପମ୍କୁ ଖୋଜୁଛି ।

