ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରା।
ଜିଲ୍ଲାପାଳ କାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଏଥିସହ ଅଧିକାରୀ ଓ କର୍ମଚାରୀ ବିନା ଅନୁମତିରେ ନିଜ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଯେଉଁ ଅଧିକାରୀ ଛୁଟି କିମ୍ବା ମୁଖ୍ୟାଳୟ ଛାଡିବା ଅନୁମତି ନେଇଛନ୍ତି ଏହାକୁ ବାତିଲ କରାଯିବା ସହ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ସମ୍ଭାବ୍ୟ ବାତ୍ୟା ପାଇଁ ୫ଟି ଜିଲ୍ଲାକୁ ସମ୍ବେଦନଶୀଳ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଲା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି । ଏହି ୫ଟି ଜିଲ୍ଲାକୁ ହାଇ-ରିସ୍କ ଜିଲ୍ଲା ଘୋଷଣା କରିଛି ପ୍ରଶାସନ ।
ଅକ୍ଟୋବର ୨୮ ଓ ୨୯ ତାରିଖରେ ଏହି ଜିଲ୍ଲାଗୁଡ଼ିକାରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ୫ ଜିଲ୍ଲା ବ୍ୟତୀତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ପାଣିପାଗର ସ୍ଥିତିକୁ ଦେଖି ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।

