Latest Odisha News

BREAKING NEWS

ବିହାର: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ କାର୍ଯ୍ୟକ୍ରମରେ ହଙ୍ଗାମା, ଯୁବକ କହିଲେ ‘ମୋଦୀ କୁଆଡ଼େ ଯିବେନାହିଁ’

ପାଟଣା : ବିହାରରେ ଆୟୋଜିତ ଏକ ସଭାରେ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ କାର୍ଯ୍ୟକ୍ରମ ସମୟରେ ପ୍ରବଳ ହଙ୍ଗାମା ଓ ଆଲୋଡ଼ନ ସୃଷ୍ଟି ହୋଇଛି। କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଜଣେ ଯୁବକ ହଠାତ୍ ଉଠି ସ୍ଲୋଗାନ ଦେଇ କହିଥିଲେ ଯେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଆଡ଼େ ଯିବେନାହିଁ ।”

ମିଳିଥିବା ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀକୃଷ୍ଣ ସିଂହ ଙ୍କ ସ୍ମୃତିଚାରଣ ଓ ସାମାଜିକ ନ୍ୟାୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ମନେ ପକାଇବା ପାଇଁ ଆୟୋଜିତ ହୋଇଥିଲା। ଶ୍ରୀ ବାବୁ ଜମିଦାରୀ ପ୍ରଥା ଉଚ୍ଛେଦ କରି ଶୋଷିତ ଓ ବଞ୍ଚିତ ବର୍ଗଙ୍କ ଉନ୍ନତି ପାଇଁ ଐତିହାସିକ ପଦକ୍ଷେପ ନେଇଥିଲେ, ଯାହାକୁ କାର୍ଯ୍ୟକ୍ରମରେ ସ୍ମରଣ କରାଯାଉଥିଲା।

ସଭାକୁ ସମ୍ବୋଧିତ କରିବା ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହି ସମୟରେ ସେ ଦେଇଥିବା କେତେକ ବକ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଖର୍ଗେଙ୍କ ଭାଷଣ ଚାଲିଥିବା ବେଳେ ଶ୍ରୋତାଙ୍କ ମଧ୍ୟରୁ ଜଣେ ଯୁବକ ହଙ୍ଗାମା କରି ମୋଦୀଙ୍କ ସମର୍ଥନରେ ନାରାବାଜି କରିଥିଲେ।

ଏହି ଘଟଣା ପରେ ସଭାସ୍ଥଳରେ କିଛି ସମୟ ପାଇଁ ଅରାଜକତା ଓ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷାକର୍ମୀ ଓ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ତୁରନ୍ତ ହସ୍ତକ୍ଷେପ କରି ଉକ୍ତ ଯୁବକଙ୍କୁ କାବୁ କରିବା ସହ ସଭାସ୍ଥଳରୁ ବାହାରକୁ ନେଇଯାଇଥିଲେ।

ଏହି ବିବାଦୀୟ ବକ୍ତବ୍ୟ ଓ ସଭାରେ ହଙ୍ଗାମାକୁ ନେଇ ବିହାର ରାଜନୀତି ଗରମାଗରମ ହୋଇପଡ଼ିଛି। ଶାସକ ଦଳ ବିଜେପି ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ କଂଗ୍ରେସ ଅଧ୍ୟକ୍ଷଙ୍କ ଏହି ବକ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ଆରଏସଏସ କୁ ନେଇ ଖର୍ଗେ କହିଛନ୍ତି , ” ଯେପର୍ଯ୍ୟନ୍ତ ଏହି ଦେଶରେ ଆରଏସଏସ ର ବିଚାରଧାରା ରହିଥିବ, ସେପର୍ଯ୍ୟନ୍ତ ଶାନ୍ତି ଆସିବ ନାହିଁ।” ବିହାରର ଜନସାଧାରଣଙ୍କୁ ଏସଆଇଆର୍ ବିରୋଧରେ ଏକ ଦେଶବ୍ୟାପୀ ଆନ୍ଦୋଳନକୁ ସମର୍ଥନ କରିବାକୁ ଆହ୍ୱାନ ଦେଇ ସେ ଆହୁରି ମଧ୍ୟ କହିଲେ, “ଏହା ହେଉଛି ସ୍ୱାଧୀନତା ପାଇଁ ଦ୍ୱିତୀୟ ଲଢ଼େଇ।”

Leave A Reply

Your email address will not be published.