Latest Odisha News

BREAKING NEWS

ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ପ୍ରସ୍ତୁତି,ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ : ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନସ୍ଥିତ ଏସଇଓସି (SEOC) କନଫରେନ୍ସ ହଲରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ରିଲିଫ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ନିର୍ଦ୍ଦେଶକ, ଆଇଏମଡି (Director, IMD, Bhubaneswar) , ଓ ଏହାସହ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ଭାବ୍ୟ ପ୍ରଭାବିତ୬ ଜିଲ୍ଲାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ,ନବରଙ୍ଗପୁର ଜିଲ୍ଲାପାଳମାନେ ମଧ୍ୟ ଏଥିରେ ଯୋଗଦେଇଥିଲେ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ମନ୍ତ୍ରୀ ପ୍ରସ୍ତୁତି ବୈଠକରେ କହିଛନ୍ତି ଯେ, ଯଦି କୌଣସି ମିଟିଂ ଆବଶ୍ୟକ ପଡ଼େ, ତେବେ ଅଧିକାରୀମାନେ ହେଡ୍‌କ୍ୱାର୍ଟରକୁ ଆସିବା ପରିବର୍ତ୍ତେ ନିଜ ନିଜ କାର୍ଯ୍ୟକ୍ଷେତ୍ରରୁ ହିଁ (ଯେଉଁଠାରେ ଅଛନ୍ତି ସେହିଠାରୁ) ବୈଠକରେ ଯୋଗଦେବେ। ଜିଲ୍ଲା ସ୍ତରରେ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ କରିବାକୁ ଏବଂ କେବଳ ରିପୋର୍ଟ ଦେବା ନୁହେଁ, ବରଂ ଜିଲ୍ଲାର ଯେକୌଣସି ପ୍ରକାରର ସମସ୍ୟା କିମ୍ବା ଜରୁରୀ ସୂଚନା ସେଥିରେ ଅପ୍‌ଡେଟ୍ କରିବାକୁ ପରାମର୍ଶ ଦେଇଛନ୍ତି। ଗଣମାଧ୍ୟମ ସହ ନିୟମିତ ଓ ସଠିକ୍ ଯୋଗାଯୋଗ ରଖିବାକୁ କୁହାଯାଇଛି, ଯାହାଫଳରେ ଭୁଲ୍ ସୂଚନା ବା ମିସକମ୍ୟୁନିକେସନ୍ ଏଡ଼ାଯାଇପାରିବ।

ରିଲିଫ୍ ସେଣ୍ଟରଗୁଡ଼ିକରେ ଆଶ୍ରୟ ନେଉଥିବା ଲୋକମାନଙ୍କୁ ଅତିଥି ଭାବେ ଗ୍ରହଣ କରି ସେମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ଶିଶୁମାନଙ୍କ ପାଇଁ ଦୁଗ୍ଧ ଓ ଶିଶୁ ଖାଦ୍ୟର ଉପଯୁକ୍ତ ବ୍ୟବସ୍ଥା ସହ ସେମାନଙ୍କ ପ୍ରତି ଅତ୍ୟନ୍ତ ନମ୍ର ଓ ସହାନୁଭୂତିଶୀଳ ହେବାକୁ କହିଛନ୍ତି। ବାତ୍ୟା ଗଭୀର ଅବପାତରେ ରୂପାନ୍ତରିତ ହୋଇ ଆନ୍ଧ୍ରପ୍ରଦେଶ ମୁହାଁ ହେବା ସହ ପରବର୍ତ୍ତୀ ସମୟରେ ଓଡ଼ିଶା ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ସରକାର ଅବଗତ ଅଛନ୍ତି। ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରତି ୨୪ ଘଣ୍ଟାରେ ଅପଡେଟ୍ ଦେବା ସହ ସ୍ଥିତି ଅନୁଯାୟୀ ଜରୁରୀ ସୂଚନା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ‘ଶୂନ୍ୟ ଜୀବନହାନି’ (Zero Casualty) ଲକ୍ଷ୍ୟ ରଖି ସମସ୍ତ ଜରୁରୀକାଳୀନ ସେବାକୁ ସଜାଗ ରଖିଛନ୍ତି। ବିଶେଷକରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ଓ ପବନ ବହିବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଅଛି । ଅନ୍ୟାନ୍ୟ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି। ଏହି ୬ଟି ଜିଲ୍ଲାରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ଏହି ଜିଲ୍ଲାଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍ (ODRAF) ଏବଂ ଏନଡିଆରଏଫ୍ (NDRF) ଟିମ୍‌ଗୁଡ଼ିକୁ ବ୍ୟାପକ ଭାବେ ମୁତାବୟନ କରାଯାଇଛି। ଏହି ୬ଟି ଜିଲ୍ଲାରେ ମୋଟ୍ ୨୭ଟି ଓଡ୍ରାଫ୍ ଟିମ୍ ଏବଂ ୬ଟି ଏନଡିଆରଏଫ୍ ଟିମ୍ ନିୟୋଜିତ ଅଛନ୍ତି।

ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀ କରାଯାଇଅଛି। ଜନସାଧାରଣଙ୍କୁ କୌଣସି ପ୍ରକାର ଗୁଜବ ପ୍ରତି କାନ ନ ଦେଇ ପ୍ରଶାସନର ମାର୍ଗଦର୍ଶନ ଓ ନିର୍ଦ୍ଦେଶକୁ ମାନି ସତର୍କ ରହିବାକୁ ଅନୁରୋଧ କରାଯାଇଛି। ସମ୍ପୃକ୍ତ ନୋଡାଲ ଅଧିକାରୀ ମାନଙ୍କୁ ବାତ୍ୟା ଅଞ୍ଚଳର ଦାୟିତ୍ଵ ନ୍ୟସ୍ତ କରାଯାଇଛି ଓ ଏକ WhatsApp ଗ୍ରପୁ କରି ସେଥିରେ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସଂଶ୍ଳିଷ୍ଟ କରାଯାଇଛି ।

Leave A Reply

Your email address will not be published.