Latest Odisha News

BREAKING NEWS

ଟେଷ୍ଟ ସିରିଜ୍ ପୂର୍ବରୁ ପଡିଆକୁ ଫେରିବେ ବୁମରା ଓ ପନ୍ତ !

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ରୋମାଞ୍ଚକର ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଏବଂ ଖୁସିର ଖବର ସାମ୍ନାକୁ ଆସିଛି । ଟିମ୍‌ର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମରା ଏବଂ ବିସ୍ଫୋରକ ୱିକେଟକିପର-ବ୍ୟାଟର ଋଷଭ ପନ୍ତ ଶୀଘ୍ର ପଡିଆକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ।  ରିପୋର୍ଟ ମୁତାବକ, ବୁମରା ଏବଂ ପନ୍ତ ନ୍ୟୁଜିଲାଣ୍ଡ ଏ ବିପକ୍ଷରେ ୭ରୁ ୧୦ ନଭେମ୍ବର ପର‌୍ୟ୍ୟନ୍ତ ଲିଙ୍କନରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଅନୌପଚାରିକ ଟେଷ୍ଟ ମ୍ୟାଚ୍ ପାଇଁ ଭାରତ ଏ  ଦଳର ଅଂଶବିଶେଷ ହୋଇପାରନ୍ତି ।

ସମ୍ପ୍ରତି ଉଭୟ ଖେଳାଳି ବେଙ୍ଗାଲୁରୁସ୍ଥିତ ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସରେ କଠିନ ପରିଶ୍ରମ ଓ ଟ୍ରେନିଂ କରୁଛନ୍ତି । ବିସିସିଆଇ ମେଡିକାଲ୍ ଟିମ୍‌ରୁ ଫିଟନେସ୍ କ୍ଲିୟରନ୍ସ ମିଳିବା ପରେ ପନ୍ତ ମଇଦାନକୁ ଓହ୍ଲାଇବେ, ଯେତେବେଳେ କି ବୁମରା ଆବଶ୍ୟକୀୟ ରିଟର୍ଣ୍ଣ-ଟୁ-ପ୍ଲେ ପ୍ରକ୍ରିୟା ଶେଷ କରି ନଭେମ୍ବର ୧ରେ ନ୍ୟୁଜିଲାଣ୍ଡ ଅଭିମୁଖେ ଯାତ୍ରା କରିବେ ।  ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨ଟି ମ୍ୟାଚ୍ ବିଶିଷ୍ଟ ମୁଖ୍ୟ ଟେଷ୍ଟ ସିରିଜ୍ ଆଗାମୀ ନଭେମ୍ବର ୧୯ରୁ ୨୩ (ୱେଲିଂଟନ) ଏବଂ ନଭେମ୍ବର ୨୭ରୁ ଡିସେମ୍ବର ୧ (କ୍ରାଇଷ୍ଟଚର୍ଚ୍ଚ) ପର‌୍ୟ୍ୟନ୍ତ ଖେଳାଯିବ, ଯେଉଁଥିରେ ଏହି ଦୁଇ ମ୍ୟାଚ୍-ୱିନର୍ ଖେଳାଳି ଦଳର ପ୍ରମୁଖ ଶକ୍ତି ହେବେ ।

Leave A Reply

Your email address will not be published.