ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଜମି ଓ ସମ୍ପତ୍ତି ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ, ଦକ୍ଷ ଓ ନାଗରିକ ଅନୁକୂଳ କରିବା ଲକ୍ଷ୍ୟରେ ଜାତୀୟ ଜେନେରିକ୍ ଡକ୍ୟୁମେଣ୍ଟ ପଞ୍ଜୀକରଣ ବ୍ୟବସ୍ଥା (National Generic Document Registration System–NGDRS)ର କାର୍ଯ୍ୟକାରିତା ଓ ଆଧୁନିକୀକରଣ ସମ୍ପର୍କରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC), ପୁଣେର ସଫ୍ଟୱେର୍ ଡେଭଲପମେଣ୍ଟ ୟୁନିଟ୍ (SDU) ସହ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ଜମିଜମା ପଞ୍ଜୀକରଣ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ, ସୁଦୃଢ଼ ଏବଂ ପ୍ରଯୁକ୍ତିସମ୍ପନ୍ନ କରିବା ଦିଗରେ ରାଜସ୍ୱ ମନ୍ତ୍ରୀ ପୂଜାରୀ ଗୁରୁତ୍ୱରୋପ କରିଥିଲେ।
ଏହି ଆଲୋଚନାରେ ଡିଜିଟାଲ୍ ପ୍ରଯୁକ୍ତିର ଉପଯୋଗ ମାଧ୍ୟମରେ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବା, ନାଗରିକଙ୍କୁ ଉନ୍ନତ ସେବା ପ୍ରଦାନ, ପଞ୍ଜୀକରଣ କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସୂଚନାଯୋଗ୍ୟ ଯେ,NGDRS ହେଉଛି ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନସ୍ଥ ଭୂମି ସଂସାଧନ ବିଭାଗ (Department of Land Resources) ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଜାତୀୟସ୍ତରୀୟ ପଦକ୍ଷେପ। ‘ଏକ ଦେଶ, ଏକ ପଞ୍ଜୀକରଣ’ (One Nation, One Registration)ର ଧାରଣା ଉପରେ ଆଧାରିତ ଏହି ବ୍ୟବସ୍ଥା ରାଜ୍ୟର ଆବଶ୍ୟକତା ଓ ନିୟମ ଅନୁଯାୟୀ ଏକ ବ୍ୟାପକ ଡିଜିଟାଲ୍ ପ୍ଲାଟଫର୍ମ ଯୋଗାଇଥାଏ।
ଏହି ବ୍ୟବସ୍ଥା ମାଧ୍ୟମରେ ନାଗରିକମାନେ ଅନଲାଇନ୍ରେ ଦଲିଲ୍ ପ୍ରସ୍ତୁତି, ସମ୍ପତ୍ତିର ମୂଲ୍ୟାୟନ, ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଶୁଳ୍କ ନିର୍ଦ୍ଧାରଣ, ଦେୟ ପ୍ରଦାନ, ନିର୍ଦ୍ଧାରିତ ସମୟ ପାଇଁ ନିଯୁକ୍ତି ଗ୍ରହଣ ଏବଂ ଆବେଦନର ସ୍ଥିତି ଯାଞ୍ଚ ଭଳି ସେବା ପାଇପାରିବେ। ଏହାଦ୍ୱାରା ପଞ୍ଜୀକରଣ କାର୍ଯ୍ୟାଳୟକୁ ବାରମ୍ବାର ଯିବାର ଆବଶ୍ୟକତା କମ୍ ହେବା ସହ ପ୍ରକ୍ରିୟାରେ ତ୍ରୁଟି ହ୍ରାସ ସହ ଅନାବଶ୍ୟକ ବିଳମ୍ବ ହେବାର ସମ୍ଭାବନା ମଧ୍ୟ ହ୍ରାସ ପାଇବ। ଏହା ସହିତ, ସବ୍-ରେଜିଷ୍ଟ୍ରାର୍ କାର୍ଯ୍ୟାଳୟଗୁଡ଼ିକରେ ଆବେଦନ ଯାଞ୍ଚ, ପରିଚୟ ଓ ବାୟୋମେଟ୍ରିକ୍ ବ୍ୟବସ୍ଥା, ଦଲିଲ୍ର ଡିଜିଟାଲ୍ ଅନୁମୋଦନ, ରେକର୍ଡ ସଂରକ୍ଷଣ ଏବଂ ପଞ୍ଜୀକରଣ ପରବର୍ତ୍ତୀ ସେବାଗୁଡ଼ିକୁ ଏକ ସମନ୍ୱିତ ବ୍ୟବସ୍ଥାରେ କାର୍ଯ୍ୟକାରୀ କରିବା ଦିଗରେ ଆଲୋଚନା ହୋଇଥିଲା। ଉଚ୍ଚସ୍ତରୀୟ ଅଧିକାରୀମାନେ ମଧ୍ୟ ଡିଜିଟାଲ୍ ଡ୍ୟାସବୋର୍ଡ୍ ମାଧ୍ୟମରେ ପଞ୍ଜୀକରଣର ପ୍ରଗତି, ବିଚାରାଧୀନ ମାମଲା ଓ କାର୍ଯ୍ୟାଳୟଭିତ୍ତିକ କାର୍ଯ୍ୟଦକ୍ଷତା ଉପରେ ନଜର ରଖିପାରିବେ।
ଭବିଷ୍ୟତରେ ଏହି ବ୍ୟବସ୍ଥାର ଅଧିକ ଆଧୁନିକୀକରଣ, ଉନ୍ନତ ପ୍ରଯୁକ୍ତିଭିତ୍ତିକ ସଫ୍ଟୱେର୍ ଢାଞ୍ଚା, ତଥ୍ୟ ବିଶ୍ଳେଷଣ, କୃତ୍ରିମ ବୁଦ୍ଧିମତ୍ତା (AI), ଭୌଗୋଳିକ ସୂଚନା ପ୍ରଣାଳୀ (GIS) ଏବଂ ଜମି ରେକର୍ଡ ସହ ସମନ୍ୱୟର ସମ୍ଭାବନା ଆଦି ସମ୍ପର୍କରେ ମଧ୍ୟ ବୈଠକରେ ଉପସ୍ଥାପିତ ହୋଇଥିଲା। ତେବେ, ଏହି ସୁବିଧାଗୁଡ଼ିକର କାର୍ଯ୍ୟକାରିତା ରାଜ୍ୟର ଆବଶ୍ୟକତା, ନୀତିଗତ ନିଷ୍ପତ୍ତି ଓ ପ୍ରଯୁକ୍ତିଗତ ପ୍ରସ୍ତୁତି ଅନୁଯାୟୀ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ରୂପାୟନ ହେବ।
ପ୍ରଥମ ପର୍ଯ୍ୟାୟରେ କେତୋଟି ଚୟନିତ ପଞ୍ଜୀକରଣ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ଆରମ୍ଭ କରାଯାଇ ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ଆଲୋଚନା ହୋଇଛି । ଏଥିସହିତ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଅନ୍ୟାନ୍ୟ ରାଜ୍ୟରେ ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ୱୟନ ଅନୁଧ୍ୟାନ କରାଯାଇ ଓଡ଼ିଶାରେ ଏହାର ସଫଳ ଉପଯୋଗ ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
ରାଜ୍ୟସରକାରଙ୍କ ଲକ୍ଷ୍ୟ ରହିଆସିଛି, ପ୍ରଯୁକ୍ତିର ସଫଳ ଉପଯୋଗ ମାଧ୍ୟମରେ ଜନସାଧାରଣଙ୍କୁ ସହଜ, ସ୍ୱଚ୍ଛ ଓ ସମୟୋପଯୋଗୀ ପଞ୍ଜୀକରଣ ସେବା ପ୍ରଦାନ କରିବା ସହ ପ୍ରଶାସନକୁ ଅଧିକ ଦକ୍ଷ, ଉତ୍ତରଦାୟୀ ଓ ନାଗରିକକୈନ୍ଦ୍ରିକ କରିବା ଏବଂ ଏ ଦିଗରେ ରାଜସ୍ୱ ବିଭାଗ ନିରବଚ୍ଛିନ୍ନ ନୂତନ ସୃଜନକୁ ଗୁରୁତ୍ୱ ଦେଇ କର୍ଯ୍ୟ କରୁଛି।

