ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିସନ (ECI) ସୁପ୍ରିମକୋର୍ଟରେ ଏକ ଜବାବୀ ସତ୍ୟପାଠ (Counter-Affidavit) ଦାଖଲ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ କାର୍ଯ୍ୟଦକ୍ଷତା ଏବଂ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଅନ୍ୟମାନଙ୍କ ଦ୍ବାରା ଦାଖଲ ଆବେଦନର ଜବାବରେ କମିସନ ଏହି ସତ୍ୟପାଠ ଦାଖଲ କରିଛନ୍ତି।
କମିସନ ସ୍ପଷ୍ଟ କରିଛନ୍ତି ଯେ ଜୁନ୍ ୨୦୨୫, ଅକ୍ଟୋବର ୨୦୨୫ ଏବଂ ମେ ୨୦୨୬ ରେ ଜାରି କରାଯାଇଥିବା ସମସ୍ତ ତିନୋଟି SIR ନିର୍ଦ୍ଦେଶ ସମ୍ପୂର୍ଣ୍ଣ ସର୍ବସମ୍ମତି କ୍ରମେ ନିଆଯାଇଥିଲା। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏକତରଫା ଭାବେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଏହି ଜବାବୀ ସତ୍ୟପାଠ ନିଜେ CEC ଜ୍ଞାନେଶ କୁମାର ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନର (ସୁଖବୀର ସିଂ ସାନ୍ଧୁ ଓ ବିବେକ ଜୋଶୀ)ଙ୍କ ଦ୍ବାରା ସର୍ବସମ୍ମତ ଭାବେ ଅନୁମୋଦିତ ହୋଇଛି।
ବିରୋଧୀଙ୍କ ଦ୍ୱାରା କରାଯାଇଥିବା ଆବେଦନଟି କେବଳ ଗୋଟିଏ ସମ୍ବାଦ ରିପୋର୍ଟ ଉପରେ ଆଧାରିତ ଏବଂ ଏହାର କୌଣସି ଦୃଢ଼ ଆଧାର ନାହିଁ ବୋଲି ECI କୋର୍ଟଙ୍କୁ ଜଣାଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନରଙ୍କୁ କାର୍ଯ୍ୟରୁ ନିବୃତ୍ତ ରଖିବା ପାଇଁ ହୋଇଥିବା ଆବେଦନକୁ କମିସନ ବିରୋଧ କରି କହିଛନ୍ତି ଯେ CECଙ୍କୁ ହଟାଇବା ପାଇଁ ସୁପ୍ରିମକୋର୍ଟ ବିଚାରପତିଙ୍କ ଭଳି ସମାନ ସାମ୍ବିଧାନିକ ପ୍ରକ୍ରିୟା ରହିଛି।
ଭୋଟର ତାଲିକା ସଂଶୋଧନ (SIR) ଓ ଫର୍ମ-୬ (Form 6) ପ୍ରକ୍ରିୟାରେ ବହୁ ସଂଖ୍ୟାରେ ଭୋଟରଙ୍କ ନାମ କଟାଯିବା ଏବଂ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ବିରୋଧୀ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯାହା ଉପରେ ସର୍ବୋଚ୍ଚ କୋର୍ଟ ନିର୍ବାଚନ କମିସନଙ୍କୁ ଜବାବ ମାଗିଥିଲେ।

