Cyclone Arnab:ଆସୁଛି ବାତ୍ୟା ‘ଅର୍ଣ୍ଣବ’:ଏହି ଜିଲ୍ଲାରେ ଆସନ୍ତା ୨ ଦିନ ବନ୍ଦ ରହିବ ସ୍କୁଲ୍ ସହ ଅଙ୍ଗନବାଡ଼ି କେନ୍ଦ୍ର
ଭୁବନେଶ୍ବର:ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ନବରଙ୍ଗପୁର ଜିଲାରେ ଆସନ୍ତା ୨ ଦିନ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ୨୭ ଓ ୨୮ରେ ସ୍କୁଲ ବନ୍ଦ ରହିବା ନେଇ ଜିଲାପାଳ ଘୋଷଣା କରିଛନ୍ତି । ସ୍କୁଲ୍ ସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଛୁଟି ଘୋଷଣା କରାଯାଇଛି । ତେବେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲେ ମଧ୍ୟ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି ।
ଏପଟେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଜନସାଧାରଣଙ୍କ ଜୀବନ ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମଗ୍ର ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ପ୍ରତ୍ୟେକ ଗ୍ରାମରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଉଥିବା ବେଳେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ଏଥିସହ ସୁରକ୍ଷାକୁ ନଜରରେ ରଖିକି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ, ବାତ୍ୟା ସମୟରେ ଗର୍ଭବତୀ ମାଆମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସେମାନଙ୍କୁ ସୁରକ୍ଷିତ ଭାବେ ନିକଟସ୍ଥ ଚିକିତ୍ସାଳୟ କିମ୍ବା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ଏଥିପାଇଁ ଜିଲ୍ଲାରେ ମାଆ ଗୃହଗୁଡ଼ିକୁ ସକ୍ରିୟ କରାଯାଇ ସମନ୍ୱୟକାରୀମାନଙ୍କୁ ସଜାଗ ରଖାଯାଇଛି ।

