Latest Odisha News

BREAKING NEWS

ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ (Cyclone Arnab) ଜନିତ ସ୍ଥିତି ସମୀକ୍ଷା କରିବା ପରେ ରାଜ୍ୟର ୧୭ଟି ଜିଲ୍ଲା ପ୍ରଭାବିତ ହୋଇଛି ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି. ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ (SRC) କଣ୍ଟ୍ରୋଲ ରୁମରେ ସ୍ଥିତିର ଅନୁଧ୍ୟାନ କରିବା ପରେ ସେ ଏହି ପ୍ରେସମିଟ୍ କରିଛନ୍ତି।

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାତାର ବର୍ଷା ଜାରି ରହିଛି, ଯେଉଁଥିରେ ଗଜପତି ଜିଲ୍ଲା ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ସ୍ଥିତି ଉପରେ ନଜର ରଖିବା ଓ କ୍ଷେତ୍ର ପରିଦର୍ଶନ ପାଇଁ ୮ ଜଣ ମନ୍ତ୍ରୀ ଏବଂ ୭ ଜଣ ଆଇଏଏସ୍ (IAS) ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ରାସ୍ତାରୁ ଗଛ କାଟି ହଟାଇବା ଏବଂ ପାଣି ନିଷ୍କାସନ ପାଇଁ ମୋଟ ୩୧୩ଟି ରେସପନ୍ସ ଟିମ୍ ମୁତୟନ କରାଯାଇଛି ।

ସରକାରଙ୍କ ପୂର୍ବ ପ୍ରସ୍ତୁତି ଯୋଗୁଁ ଧନଜୀବନର କ୍ଷତି ସର୍ବନିମ୍ନ ରଖାଯାଇ ପାରିଛି ଏବଂ ‘ଜିରୋ କାଜୁଆଲିଟି’ ବା ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟ ହାସଲ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ଗୃହ ମନ୍ତ୍ରୀ ସ୍ଥିତି ନେଇ ମୋ ସହ ଆଲୋଚନା କରିଛନ୍ତି। ବାତ୍ୟା ପୂର୍ବରୁ ଭଲ ପ୍ରସ୍ତୁତି କରିଥିବାରୁ ମୁକାବିଲା ସଫଳ ହୋଇ ପାରିଛୁ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଜିରୋ କାଜୁଆଲିଟି ବଜାୟ ରଖିଛୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ବାତ୍ୟା ମୁକାବିଲା ପାଇଁ ୭ ଜଣ ଆଇଏଏସ୍‌ ଅଧିକାରୀ ଓ ୮ ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଥିଲା । ଆସନ୍ତା ଗୋଟିଏ ଦିନ ପର୍ଯ୍ୟନ୍ତ ମନ୍ତ୍ରୀମାନେ ନିଜ ନିଜ ଦାୟିତ୍ୱରେ ଥିବା ଜିଲ୍ଲାରେ ରହି ସ୍ଥିତି ସମୀକ୍ଷା କରିବେ । ଏହା ପରେ ସେମାନେ ଭୁବନେଶ୍ୱର ଫେରିବେ । ବାତ୍ୟାର କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବାତ୍ୟା ମୁକାବିଲା ପାଇଁ ୩୧୩ଟି ରେସ୍‌ପନ୍ସ ଟିମ୍‌, ୬୦ଟି ଓଡ୍ରାଫ୍‌ ଟିମ୍‌ ଓ ୨୪୪ଟି ଅଗ୍ନିଶମ ଟିମ୍‌ ମୁତୟନ କରାଯାଇଥିଲା । ଏଥିସହ ୨୦୩୭ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିଲା । ୮ଟି ଜିଲ୍ଲାର ୬୩୪ଟି ସ୍ଥାନରୁ ୪୩ ହଜାର ୮୨୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ବାତ୍ୟା ପରବର୍ତ୍ତୀ ସ୍ଥିତି ଓ କ୍ଷୟକ୍ଷତିର ଆକଳନ ଉପରେ ପ୍ରଶାସନ ନଜର ରଖିଛି । ଆଜିର ଏହି ସମୀକ୍ଷାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ୍ ପ୍ରଭାକର ପାଟିଲ,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଉପସ୍ଥିତି ରହିଥିଲେ ।

Leave A Reply

Your email address will not be published.