ଭୁବନେଶ୍ୱର: ବଦଳିଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ । ଦୁଇ ଦିନ ପରିବର୍ତ୍ତେ ତିନି ଦିନ ଓଡ଼ିଶାରେ ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନଭେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ନିଜର ତିନିଦିନିଆ ମୟୂରଭଞ୍ଜ ଗସ୍ତ ଅବସରରେ ସେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ସହ ଧାର୍ମିକ ଅନୁଷ୍ଠାନ ପରିଦର୍ଶନ ଏବଂ ଆଦିବାସୀ ସଂସ୍କୃତିର ପ୍ରଚାର ପ୍ରସାର କାର୍ଯ୍ୟକ୍ରମରେ ସାମିଲ ହେବେ।
ନଭେମ୍ବର ୩ ତାରିଖ ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରୁ ବାହାରିବେ ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ପଶ୍ଚିମବଙ୍ଗର କଲାଇକୁଣ୍ଡା ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ ମୟୂରଭଞ୍ଜ ଅଭିମୁଖେ ଯାତ୍ରା କରିବେ । ରାସ୍ତାରେ ଝାଡ଼ଖଣ୍ଡର ବହଡ଼ାଗୋଡ଼ା ଫରେଷ୍ଟ ଗେଷ୍ଟହାଉସରେ ମଧ୍ୟାହ୍ନ ଭୋଜନ କରିବେ । ଅପରାହ୍ନ ସାଢ଼େ ୪ଟାରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ସାଢ଼େ ୫ଟାରେ ବହଳଦାସ୍ଥିତ ପ୍ରସିଦ୍ଧ ମା’ କିଚେକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ଓ ଆରତିରେ ସାମିଲ ହେବେ । ପରେ ରାଇରଙ୍ଗପୁରସ୍ଥିତ ବାସଭବନରେ ରାତ୍ରିଯାପନ କରିବେ।
ନଭେମ୍ବର ୪ ସକାଳେ ରାଇରଙ୍ଗପୁର ମହୁଲଡିହାସ୍ଥିତ ଲକ୍ଷ୍ମୀ ମଣ୍ଡପରେ ପୂଜାର୍ଚ୍ଚନା ପରେ ନବନିର୍ମିତ ପ୍ରତିରକ୍ଷା ଏକ୍ସ-ସର୍ଭିସମ୍ୟାନ୍ କ୍ୟାଣ୍ଟିନ୍ ପରିଦର୍ଶନ କରିବେ ଏବଂ ୩ ଜଣ ବୀର ନାରୀଙ୍କୁ ସମ୍ବର୍ଦ୍ଧିତ କରିବେ। ଏହାପରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ହିନ୍ଦୁଜା ହସ୍ପିଟାଲ ମଧ୍ୟରେ ନେଫ୍ରୋଲୋଜି ମେଡିକାଲ କ୍ୟାମ୍ପ ପାଇଁ MoU ସ୍ୱାକ୍ଷରିତ ହେବା ସହ ମେଡିକାଲ ଭ୍ୟାନ୍ର ଶୁଭାରମ୍ଭ ହେବ। ରାଷ୍ଟ୍ରପତି ପ୍ରାୟ ୧୨୦ ଜଣ ‘ଜାହେର ଥାନ’ର ମୁଖିଆଙ୍କ ସହ ଆଦିବାସୀ ପରମ୍ପରା ଓ ପୂଜାସ୍ଥଳୀର ସୁରକ୍ଷା ନେଇ ଆଲୋଚନା କରିବେ। ଅପରାହ୍ନରେ ରାଇରଙ୍ଗପୁର କଚେରି ପଡ଼ିଆଠାରେ ‘ପ୍ରସାଦ’ ଯୋଜନା ଅଧୀନରେ ମା’ କିଚେକେଶ୍ୱରୀ ମନ୍ଦିରର ପୁନରୁଦ୍ଧାର ଏବଂ ୩୭ଟି ଜାହୀର ଥାନର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ରେଳ ଯୋଗାଯୋଗ କ୍ଷେତ୍ରରେ ବାଦାମପାହାଡ଼-ପୁରୀ ମଧ୍ୟରେ ନୂତନ ଦୈନନ୍ଦିନ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ ସହ ରାଇରଙ୍ଗପୁର ଓ ବାଦାମପାହାଡ଼ ଅମୃତ ଭାରତ ରେଳ ଷ୍ଟେସନ୍ର ଉଦ୍ଘାଟନ ହେବ। ଏଥିସହ ସ୍ପୋର୍ଟସ୍ ହଷ୍ଟେଲ୍ ଘୋଷଣା, ଗୋଶାଳା ଏବଂ ‘ଏସେକା’ କୋଠା ନିର୍ମାଣର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି।
ନଭେମ୍ବର ୫ ତଥା ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ସିକିଲ୍ ସେଲ୍ ଆନିମିଆ ରୋଗରେ ପ୍ରଭାବିତ ବ୍ୟକ୍ତିଙ୍କୁ ଭେଟିବା ସହ ସେମାନଙ୍କ ସହ ଆଲୋଚନା କରିବେ । ଏହାପରେ ଦିନ ୧୨ଟାରେ ସଡ଼କ ପଥରେ ପଶ୍ଚିମବଙ୍ଗର କଲାଇକୁଣ୍ଡା ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଏହି ତିନିଦିନିଆ ଗସ୍ତ ମୟୂରଭଞ୍ଜ ସମେତ ରାଜ୍ୟରେ ରେଳ, ସ୍ୱାସ୍ଥ୍ୟ ଓ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି ।

