SC on Breakup: ବ୍ରେକଅପ୍ ମାନେ ଧୋକା କି ଠକେଇ ନୁହେଁ! ଲିଭ୍-ଇନ୍ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ…
ନୂଆଦିଲ୍ଲୀ: ଦୁଇ ଜଣ ବୟସ୍କ ବ୍ୟକ୍ତି ପରସ୍ପର ସହମତିରେ ପ୍ରେମ ସମ୍ପର୍କରେ ରହିଥିଲେ ଏବଂ ପରେ ସେହି ସମ୍ପର୍କ ଭାଙ୍ଗିଗଲା ବୋଲି ପୂର୍ବରୁ ଥିବା ସହମତିଭିତ୍ତିକ ଶାରୀରିକ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ। ଲିଭ୍-ଇନ୍ ସମ୍ପର୍କ ଓ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବଳାତ୍କାର ଅଭିଯୋଗ ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ଏଭଳି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ।
ଜଷ୍ଟିସ୍ ବି.ଭି. ନାଗରତ୍ନା ଓ ଜଷ୍ଟିସ୍ ଆର୍. ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, କେବଳ ସମ୍ପର୍କ ଭାଙ୍ଗିଯିବା କାରଣରୁ ପୂର୍ବରୁ ଥିବା ସହମତିଭିତ୍ତିକ ସମ୍ପର୍କକୁ ବଳାତ୍କାର ବୋଲି ଧରାଯାଇପାରିବ ନାହିଁ। ଏହି ମାମଲାରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗରୁ ମୁକ୍ତ କରିଛନ୍ତି କୋର୍ଟ। ତେବେ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି କେହି ଆରମ୍ଭରୁ ହିଁ ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଅନ୍ୟ ଜଣଙ୍କ ସହମତି ହାସଲ କରିଥାଏ, ତେବେ ତାହା ଏକ ଭିନ୍ନ ମାମଲା। କିନ୍ତୁ ସମ୍ପର୍କ ଆରମ୍ଭ ହେବା ପରେ ମତଭେଦ ହେବା କିମ୍ବା ପରବର୍ତ୍ତୀ ସମୟରେ ସମ୍ପର୍କ ଭାଙ୍ଗିଯିବା ମାତ୍ରେ ତାହାକୁ ବଳାତ୍କାର ବୋଲି କୁହାଯାଇପାରିବ ନାହିଁ।
ଖଣ୍ଡପୀଠ କହିଛନ୍ତି, ଯଦି ସମ୍ପର୍କ ଶେଷ କରିବା ପରେ ବଳାତ୍କାର ଅଭିଯୋଗ ହେବାର ଭୟ ରହିବ, ତେବେ ଜଣେ ବ୍ୟକ୍ତିଙ୍କ ନିଜ ଇଚ୍ଛାରେ ନିଷ୍ପତ୍ତି ନେବାର ସ୍ୱାଧୀନତା ପ୍ରଭାବିତ ହେବ। କେବଳ ସମ୍ପର୍କ ଶେଷ କରିବାର ନିଷ୍ପତ୍ତିକୁ ଧୋକା କିମ୍ବା ଠକେଇ ବୋଲି କୁହାଯାଇପାରିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ବଳାତ୍କାର ଏକ ଗମ୍ଭୀର ଅପରାଧ। ଯେଉଁଠାରେ ଯୌନ ହିଂସା, ଚାପ କିମ୍ବା ସହମତି ହାସଲ କରିବାରେ ଠକେଇର ସ୍ପଷ୍ଟ ପ୍ରମାଣ ରହିଛି, ସେଠାରେ ଆଇନ ଅନୁସାରେ କଠୋର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଅନେକ ମହିଳା ବଦନାମ ହେବା ଭୟରେ ଯୌନ ହିଂସା ଘଟଣା ସାମ୍ନାକୁ ଆଣିପାରନ୍ତି ନାହିଁ ବୋଲି ମଧ୍ୟ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି।
ତେବେ କେବଳ ପରସ୍ପର ସହମତିରେ ଗଢ଼ିଉଠିଥିବା ସମ୍ପର୍କ ଶେଷ ହୋଇଗଲା ବୋଲି କାହାକୁ ହଇରାଣ କରିବା ପାଇଁ ଅପରାଧିକ ଆଇନର ଦୁରୁପଯୋଗ ହେବା ଉଚିତ୍ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

