ରାଇକିଆ:କନ୍ଧମାଳ ଜିଲ୍ଲାରେ ବାତ୍ୟା ଅର୍ଣ୍ଣବ ଦେଇଯାଇଛି ଦୁଃଖ । ବିଭିନ୍ନ ସ୍ଥାନରେ ପାହାଡ଼ ଉପରୁ ଭୂସ୍ଖଳନ ହୋଇଛି । ଭୂସ୍ଖଳନରେ ରାଇକିଆ ବ୍ଲକ ମାଣିକେଶ୍ୱରୀ ପଞ୍ଚାୟତର ଡାଙ୍ଗେସି ଗାଁରେ ରହୁଥିବା ୧୫ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଗୋଟିଏ ପରିବାରର ୭ମାସର ଛୋଟ ଛୁଆ ସହ ରହିଥିବା ୩ ଜଣଙ୍କ ମୃତ୍ୟୁ ହୋଇଛି ।ଗୁରୁବାର ଭୂସ୍ଖଳନ ପରେ ପୂରା ପରିବାର ନିଖୋଜ ଥିଲେ । ମୃତକମାନେ ହେଲେ ଅଚ୍ୟୁତ ପ୍ରଧାନ, ତାଙ୍କ ସ୍ତ୍ରୀ ମାନସୀ ପ୍ରଧାନ ଏବଂ ସେମାନଙ୍କ ୭ ମାସର ଶିଶୁ। ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ମାଟି ଅତଡ଼ା ଓ ପଙ୍କ ମଧ୍ୟରେ ସେମାନଙ୍କ ମୃତଦେହ ରହିଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି।
ଗୁରୁବାର ସକାଳେ ଗ୍ରାମବାସୀ ଅଚ୍ୟୁତଙ୍କ ଘର ସମ୍ପୂର୍ଣ୍ଣ ଭାସିଯାଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଖୋଜାଖୋଜି କରିଥିଲେ। ତେବେ ପ୍ରବଳ ଜଳସ୍ରୋତ ଓ ମାଟି ଅତଡ଼ା ଖସି ପଙ୍କ ଭରି ରହିଥିବାରୁ ନିଖୋଜ ପରିବାରର ସନ୍ଧାନ ପାଇବା ସମ୍ଭବ ହୋଇ ନ ଥିଲା। ବହୁ କଷ୍ଟରେ ଗ୍ରାମବାସୀ ଗୁରୁବାର ସନ୍ଧ୍ୟାରେ ପାହାଡ଼ ଚଢ଼ି ସିକବାଡ଼ି ଆଶ୍ରୟସ୍ଥଳୀରେ ପହଞ୍ଚିଥିଲେ। ସେଠାରୁ ପ୍ରଶାସନକୁ ଖବର ଦିଆଯିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।
ଘଟଣାସ୍ଥଳରେ ମନ୍ତ୍ରୀ ରବି ନାରାୟଣ ନାୟକ ପହଞ୍ଚି ସ୍ଥିତି ପରଖିଛନ୍ତି । ଏହାସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଘର ନଷ୍ଟ ହୋଇଥିବା ପରିବାରକୁ ତୁରନ୍ତ ପକ୍କା ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

