Latest Odisha News

BREAKING NEWS

Cyclone Arnab: କନ୍ଧମାଳରେ ଭୟଙ୍କର ଭୂସ୍ଖଳନ, ମାଟି ତଳେ ଚାପି ହୋଇ ଚାଲିଗଲା ୭ ମାସର ଶିଶୁ ସହ ୩ ଜୀବନ! ଉଦ୍ଧାର ପାଇଁ ସରକାରଙ୍କୁ ନବୀନଙ୍କ ଆହ୍ୱାନ

ରାଇକିଆ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳ ବର୍ଷା ପରେ କନ୍ଧମାଳ ଓ ଗଞ୍ଜାମରେ ଭୂସ୍ଖଳନ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ପାହାଡ଼ରୁ ମାଟି, ପଥର ଓ ଗଛ ଧସି ଗାଁ ଉପରେ ମାଡ଼ି ଆସିବାରୁ ଘରଦ୍ୱାର ମାଟି ତଳେ ପୋତି ହୋଇଯାଇଛି। ଏହି ଦୁର୍ଘଟଣାରେ କନ୍ଧମାଳରେ ୭ ମାସର ଶିଶୁ ସମେତ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଛି। ଅନ୍ୟପଟେ ୧୩ ଜଣ ନିଖୋଜ ଥିବା ପ୍ରାଥମିକ ସୂଚନା ମିଳିଛି।

ଏଭଳି ଦୁଃଖଦ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଦୁଃଖଦ ଘଟଣାରେ ମୃତକଙ୍କ ପରିବାର ପ୍ରତି ସେ ନିଜର ସମବେଦନା ଜଣାଇବା ସହ ନିଖୋଜ ଲୋକଙ୍କୁ ତୁରନ୍ତ ଖୋଜି ବାହାର କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ନବୀନ ନିଜ ଶୋକବାର୍ତ୍ତାରେ ମୃତକଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି କଠିନ ସମୟରେ ଧୈର୍ଯ୍ୟ ଓ ଶକ୍ତି ମିଳୁ ବୋଲି କାମନା କରିଛନ୍ତି। କେବଳ ଶୋକ ପ୍ରକାଶରେ ସୀମିତ ନରହି, ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବା ଏବଂ ନିଖୋଜ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି। ଏହା ସହ ଭୂସ୍ଖଳନରେ ପ୍ରଭାବିତ ଅଞ୍ଚଳରେ ଯଥାଶୀଘ୍ର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ସେ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି।

ସୂଚନା ଅନୁସାରେ, ବୁଧବାର ମଧ୍ୟରାତ୍ରିରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ର ମାଣିକେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗେସି ଗାଁରେ ଭୟଙ୍କର ଭୂସ୍ଖଳନ ହୋଇଥିଲା। ପ୍ରବଳ ବର୍ଷା ପରେ ପାହାଡ଼ରୁ ମାଟି ଧସି ଏକ ପରିବାର ଉପରେ ପଡ଼ିଥିଲା। ଫଳରେ ୩୬ ବର୍ଷୀୟ ଅଚ୍ୟୁତ ପ୍ରଧାନ, ତାଙ୍କ ୨୪ ବର୍ଷୀୟ ପତ୍ନୀ ମାନସୀ ପ୍ରଧାନ ଏବଂ ସେମାନଙ୍କ ୭ ମାସର ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଛି।

କେବଳ ଡାଙ୍ଗେସି ନୁହେଁ, ଜି. ଉଦୟଗିରି ବ୍ଲକ୍‌ର କଟିଙ୍ଗିଆ ପଞ୍ଚାୟତର ୬ଟି ସ୍ଥାନରେ ମଧ୍ୟ ଭୂସ୍ଖଳନ ହୋଇଥିବା ଖବର ମିଳିଛି। ସେହିପରି ପଡ଼ୋଶୀ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍‌ର ବାଇବାଲି ପଞ୍ଚାୟତ ଅନ୍ତର୍ଗତ ଗିଡ଼ିପାବାଲି ଗାଁରେ ମଧ୍ୟ ସ୍ଥିତି ଗମ୍ଭୀର ହୋଇଛି। ବୁଧବାର ଭୋର ପ୍ରାୟ ୩ଟା ସମୟରେ ପାହାଡ଼ ଉପରୁ ମାଟି, ପଥର, ଗଛ ଓ ପାଣିର ପ୍ରବଳ ସ୍ରୋତ ଗାଁ ଆଡ଼କୁ ମାଡ଼ି ଆସିଥିଲା। ଏଥିରେ ଗାଁର ଅନେକ ଅଞ୍ଚଳ ପୋତି ହୋଇଯାଇଛି। ପ୍ରାଥମିକ ସୂଚନା ଅନୁସାରେ, ୧୩ ଜଣ ନିଖୋଜ ଥିବା ବେଳେ ୧୧ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଉଦ୍ଧାର ହୋଇଥିବା ଦୁଇ ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜି. ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଏହି ଘଟଣାରେ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ନିଖୋଜ ଲୋକଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ପ୍ରଭାବିତ ଅଞ୍ଚଳରେ ଶୀଘ୍ର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ଉଦ୍ଧାରକାରୀ ଦଳ ନିଖୋଜଙ୍କୁ ଖୋଜିବା ଓ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ଲାଗିଛନ୍ତି।

Leave A Reply

Your email address will not be published.