NVS-03 Launched: କାର୍ଗିଲ ଯୁଦ୍ଧରୁ ମିଳିଥିଲା ଶିକ୍ଷା, ଏବେ ମହାକାଶରେ ଭାରତର ନିଜସ୍ୱ ‘GPS’! ଶତ୍ରୁ ଉପରେ ନଜର ରଖିବାଠୁ ସେନାର ରଣନୀତି ଯାଏଁ ମିଳିବ ବଡ଼ ଫାଇଦା
ନୂଆଦିଲ୍ଲୀ: ମନା କରିଦେଇଥିଲା ଆମେରିକା, ଅଣ୍ଟା ଭିଡିଲା ଭାରତ…
କାର୍ଗିଲ ଭୁଲ୍ ଆଉ ହେବନି!
ଏବେ ମହାକାଶରେ ଭାରତର ନିଜସ୍ୱ GPS
ସେନାକୁ ମିଳିବ ଅଭେଦ୍ୟ ନେଭିଗେସନ୍ ଶକ୍ତି!
୧୯୯୯ର କାର୍ଗିଲ ଯୁଦ୍ଧରେ ଏକ ବଡ ଶିକ୍ଷା ଶିଖିଥିଲା ଭାରତ । ଆଜି ଶେଷରେ ନିଜର ଅଭେଦ୍ୟ ନେଭିଗେସନ୍ ଶକ୍ତିକୁ ଦୃଢ କଲା । କାର୍ଗିଲ୍ ଯୁଦ୍ଧରେ ଶତ୍ରୁର ଗତିବିଧି ଉପରେ ନଜର ରଖିବା ଏବଂ ଯୁଦ୍ଧକ୍ଷେତ୍ରରେ ସଠିକ୍ ସ୍ଥାନ ଜାଣିବା ପାଇଁ ଭାରତକୁ ଦରକାର ପଡ଼ିଥିଲା ଆମେରିକାର GPS ସହାୟତା। କିନ୍ତୁ ସେତେବେଳେ ଆମେରିକା ସହାୟତା ଦେବାକୁ ମନା କରିଦେଇଥିଲା। ସେହି ଅନୁଭୂତିରୁ ଭାରତ ବୁଝିଥିଲା ଯେ, ନିଜ ସୁରକ୍ଷା ଓ ସାମରିକ ଆବଶ୍ୟକତା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରି ରହିଲେ ଚଳିବ ନାହିଁ। ଆଉ ଏବେ ମହାକାଶରେ ଭାରତର ନିଜସ୍ୱ ନେଭିଗେସନ୍ ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବାକୁ ISRO ବଡ଼ ପଦକ୍ଷେପ ନେଇଛି।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO ଅକ୍ଟୋବର ୩୦ ତାରିଖ ରାତି ୧୧ଟା ୫୧ ମିନିଟ୍ରେ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ GSLV-F18 ରକେଟ୍ ଜରିଆରେ NVS-03 ନେଭିଗେସନ୍ ସାଟେଲାଇଟ୍କୁ ମହାକାଶକୁ ପଠାଇଛି। ଉତ୍କ୍ଷେପଣର ୧୮ ମିନିଟ୍ ମଧ୍ୟରେ ରକେଟ୍ର ତିନୋଟି ଯାକ ପର୍ଯ୍ୟାୟ ସଫଳ ହୋଇଥିଲା। ୨୨୩୨ କିଲୋଗ୍ରାମ ଓଜନର ଏହି ଉପଗ୍ରହ ରକେଟ୍ଠାରୁ ଅଲଗା ହୋଇ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଛି। ଏହାକୁ ଏକ ଅଣ୍ଡାକାର କକ୍ଷପଥରେ ସ୍ଥାପନ କରାଯାଇଛି। ଏହି କକ୍ଷପଥରେ ପୃଥିବୀଠାରୁ ସର୍ବନିମ୍ନ ଦୂରତା ବା ପେରିଜି ୧୭୦ କିଲୋମିଟର ଏବଂ ସର୍ବାଧିକ ଦୂରତା ବା ଆପୋଜି ୩୭ ହଜାର ୨୩ କିଲୋମିଟରରୁ ଅଧିକ।
ତେବେ ଏହି ମିଶନର ସବୁଠାରୁ ବଡ଼ ଫାଇଦା ମିଳିବ ଭାରତୀୟ ସେନାକୁ। ଯୁଦ୍ଧ ସମୟରେ ସେନାର ଗାଡ଼ି, ଜାହାଜ ଓ ଅନ୍ୟ ସାମରିକ ଉପକରଣର ଅବସ୍ଥିତି ଜାଣିବା, ନିଜର ଦିଗ ନିର୍ଣ୍ଣୟ କରିବା ଏବଂ ରଣନୀତି ପ୍ରସ୍ତୁତିରେ ନେଭିଗେସନ୍ ବ୍ୟବସ୍ଥାର ଗୁରୁତ୍ୱ ରହିଛି। NVS-03 ଯୋଗୁଁ ଭାରତର ନିଜସ୍ୱ NavIC ବ୍ୟବସ୍ଥା ଆହୁରି ମଜଭୁତ ହେବ। ଫଳରେ ନେଭିଗେସନ୍ କ୍ଷେତ୍ରରେ ବିଦେଶୀ ବ୍ୟବସ୍ଥା ଉପରେ ନିର୍ଭରତା କମିବ।
ତେବେ NavICର ପୂରା ନାମ ହେଉଛି ‘Navigation with Indian Constellation’। ଅର୍ଥାତ୍ ଭାରତର ନିଜସ୍ୱ ଉପଗ୍ରହ ଆଧାରିତ ଆଞ୍ଚଳିକ ନେଭିଗେସନ୍ ବ୍ୟବସ୍ଥା। ଏହାକୁ ISRO ବିକଶିତ କରିଛି। ନୂଆ ସାଟେଲାଇଟ୍ ଯୋଡ଼ି ହେବା ଫଳରେ ଏହି ବ୍ୟବସ୍ଥାର ସେବା ଆହୁରି ଉନ୍ନତ ହେବ। ରିପୋର୍ଟ ଅନୁସାରେ, ଏହା ପ୍ରାୟ ୧୫୦୦ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ନେଭିଗେସନ୍ ସେବା ଦେବାରେ ସହାୟକ ହେବ। ଏହି ଉପଗ୍ରହର ଆଉ ଏକ ବିଶେଷତ୍ୱ ହେଉଛି, ଏଥିରେ ଭାରତରେ ନିର୍ମିତ ଆଟମିକ୍ କ୍ଲକ୍ ବା ପରମାଣୁ ଘଣ୍ଟା ପ୍ରଯୁକ୍ତି ବ୍ୟବହାର କରାଯାଇଛି। ଏହା ସହ ଏହା L1, L5 ଏବଂ S ବ୍ୟାଣ୍ଡ୍ରେ ସେବା ଯୋଗାଇବ। ଏହି ଫ୍ରିକ୍ୱେନ୍ସିକୁ ସମର୍ଥନ କରୁଥିବା ହାର୍ଡୱେର୍ ଥିବା ମୋବାଇଲ୍ରେ ହିଁ NavIC ସେବା ମିଳିପାରିବ। ତେଣୁ ସମସ୍ତ ସ୍ମାର୍ଟଫୋନ୍ରେ ଏହା କାମ କରିବ ବୋଲି କହିହେବ ନାହିଁ।
ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଏହି ସାଟେଲାଇଟ୍ ବେଶ୍ ଉପଯୋଗୀ। ମୋବାଇଲ୍ରେ ଲୋକେସନ୍ ଖୋଜିବା, ରାସ୍ତା ଜାଣିବା, ଟ୍ୟାକ୍ସି, ବସ୍ ଓ ଟ୍ରକ୍ର ଅବସ୍ଥିତି ଟ୍ରାକ୍ କରିବାରେ ଏହା ସହାୟକ ହେବ। ସମୁଦ୍ରରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କୁ ଦିଗ ଓ ନିଜ ଅବସ୍ଥିତି ଜାଣିବାରେ ସହାୟତା ମିଳିବ। କୃଷି କାର୍ଯ୍ୟ, ବିମାନ ଚଳାଚଳ, ବନ୍ୟା ଓ ବାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହା ଉପକାରୀ ହେବ। ଏହାସହ ବ୍ୟାଙ୍କିଂ, ବିଦ୍ୟୁତ୍ ଗ୍ରିଡ୍ ଓ ଟେଲିକମ୍ ସେବାରେ ସଠିକ୍ ସମୟ ସୂଚନା ଯୋଗାଇବାରେ ମଧ୍ୟ ନେଭିଗେସନ୍ ସାଟେଲାଇଟ୍ର ଭୂମିକା ରହିଛି।
ତେବେ NavIC ପ୍ରକଳ୍ପ ଅଧୀନରେ ଏହା ପୂର୍ବରୁ ମୋଟ ୧୧ଟି ସାଟେଲାଇଟ୍ ଉତ୍କ୍ଷେପଣ କରାଯାଇଥିବା ରିପୋର୍ଟରେ କୁହାଯାଇଛି। ସେଥିରୁ ଗୋଟିଏ ଉତ୍କ୍ଷେପଣ ବିଫଳ ହୋଇଥିଲା ଏବଂ ଆଉ ଗୋଟିଏ ସାଟେଲାଇଟ୍ରେ ବୈଷୟିକ ସମସ୍ୟା ଯୋଗୁଁ ନେଭିଗେସନ୍ ସେବା ପ୍ରଭାବିତ ହୋଇଥିଲା।
ତେବେ କାର୍ଗିଲ ଯୁଦ୍ଧର ଅନୁଭୂତିରୁ ଆରମ୍ଭ ହୋଇଥିବା ନିଜସ୍ୱ ନେଭିଗେସନ୍ ବ୍ୟବସ୍ଥାକୁ ଏବେ ଆହୁରି ଶକ୍ତିଶାଳୀ କରୁଛି ଭାରତ। NVS-03 କେବଳ ମହାକାଶରେ ଆଉ ଏକ ସାଟେଲାଇଟ୍ ନୁହେଁ, ବରଂ ଦେଶର ସୁରକ୍ଷା, ସ୍ୱାଧୀନତା ଓ ପ୍ରଯୁକ୍ତି କ୍ଷମତା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

