Latest Odisha News

BREAKING NEWS

୫ଲକ୍ଷ ଲାଂଚ ନେଇ ଧରାପଡିଲେ ସ୍ୱତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ

ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ତଦନ୍ତ ଜାରି

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସମ୍ବଲପୁର-ତାଳଚେର ରେଳ ଲାଇନ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ । ଭୂମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ୫ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ଅଜୟ କୁମାର ଗଡନାୟକ । ସୂଚନା ଅନୁସାରେ ଜଣେ ଜମି ମାଲିକଙ୍କଠାରୁ ଭୂମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ୮୪ ଲକ୍ଷ ୬୨ହଜାର ୨୮୮ ଟଙ୍କା ପ୍ରଦାନ କରିବାକୁ ଏବଂ ଭବିଷ୍ୟତରେ ତୃତୀୟ ରେଳଲାଇନ ପ୍ରକଳ୍ପ ସମୟରେ କ୍ଷତିପୂରଣ ପ୍ରଦାନ କ୍ଷେତ୍ରରେ ଅନୁକୂଳ ବ୍ୟବହାର ଦେଖାଇବାକୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ ବାବୁ ଅଜୟ । ପୂର୍ବରୁ ୨୭ ଅକ୍ଟୋବରରେ ୨ ଲକ୍ଷ ଟଙ୍କା ଦେଇସାରିଥିଲେ ସମ୍ପୃକ୍ତ ଜମି ମାଲିକ । ବାକି ୩ ଲକ୍ଷ ୧୦ ହଜାର ଟଙ୍କା ଶୀଘ୍ର ଦେବାକୁ ଦାବି କରିଥିଲେ ଅକ୍ଷୟ ଗଡନାୟକ । ଯଦି ଟଙ୍କା ନଦିଅନ୍ତି ତୃତୀୟ ରେଳଲାଇନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସମୟରେ ସେ ଅସୁବିଧା ସୃଷ୍ଟି କରିବେ ବୋଲି ଧମକଚମକ ଦେଇଥିବା ଅଭିଯୋଗ କରିଥିଲେ ଜମି ମାଲିକ । କୌଣସି ଉପାୟ ନପାଇ ଭିଜିଲାନ୍ସରେ ଜଣାଇଥିଲେ ।

ସୋମବାର ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଲାଂଚଖୋର ବାବୁଙ୍କୁ ଧରିବାକୁ ଜାଲ ବିଛାଇଥିଲେ । ଜମି ମାଲିକ ବାକି ଟଙ୍କା ଅଧିକାରୀଙ୍କୁ ଦେବା ବେଳେ ଧରିଲା ଭିଜିଲାନ୍ସ । ତାଙ୍କ ଠାରୁ ଲାଂଚ ଟଙ୍କା ଜବତ କରିବା ସହ ଗିରଫ କରାଯାଇଛି । ଏହି ସଫଳ ଚଢାଉ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ ହୋଇଛି । ମାମଲାର ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.