ନାଗପୁର: ରଣଜୀ ଟ୍ରଫି ଏଲିଟ୍ ମ୍ୟାଚ୍ରେ ବିଦର୍ଭର ଅଧିନାୟକ ତଥା ବାମହାତୀ ସ୍ପିନର ହର୍ଷ ଦୁବେ ମଧ୍ୟପ୍ରଦେଶ ବିପକ୍ଷରେ ଏକ ମାଷ୍ଟରକ୍ଲାସ୍ ପ୍ରଦର୍ଶନ କରିଛନ୍ତି । ସେ ମଧ୍ୟପ୍ରଦେଶର ବ୍ୟାଟିଂ ବିପର୍ୟ୍ୟୟ ଘଟାଇ ଗୋଟିଏ ଇନିଂସରେ ମାତ୍ର ୫୩ ରନ୍ ଦେଇ ୯ଟି ୱିକେଟ୍ ଅକ୍ତିଆର କରିଛନ୍ତି, ଯାହାକି ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ । ହର୍ଷ ଦୁବେ ୨୩.୧ ଓଭର ବୋଲିଂ କରି ୫ ମେଡେନ୍ ସହ ମାତ୍ର ୫୩ ରନ୍ ଦେଇ ୯ଟି ୱିକେଟ୍ ନେଇଛନ୍ତି । ଏହାପୂର୍ବରୁ ୨୦୨୪ ନଭେମ୍ବରରେ ହିମାଚଳ ପ୍ରଦେଶ ବିପକ୍ଷରେ ୩୬ ରନ୍ ଦେଇ ୬ ୱିକେଟ୍ ନେବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ଏହା ସହିତ ଏହା ରଣଜୀ ଟ୍ରଫି ଇତିହାସରେ କୌଣସି ବିଦର୍ଭ ବୋଲରଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭାବେ ରେକର୍ଡ ହୋଇଛି ।ହର୍ଷଙ୍କ ଏହି ଘାତକ ସ୍ପିନ୍ ଆକ୍ରମଣରେ ଭାରତୀୟ ଆନ୍ତର୍ଜାତୀୟ ଖେଳାଳି ରଜତ ପାଟିଦାର ଏବଂ ସାରାଂଶ ଜୈନ ମଧ୍ୟ ଶିକାର ହୋଇଥିଲେ ।
ହର୍ଷ ଦୁବେ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ଘରୋଇ ଦିନିକିଆ ସିରିଜରେ ଭାରତୀୟ ଦଳ ପାଇଁ ଡେବ୍ୟୁ କରିସାରିଛନ୍ତି । କିନ୍ତୁ ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଏବଂ ମାନବ ସୁଥାରଙ୍କ ଭଳି ଖେଳାଳିମାନେ ଦଳରେ ଆଗରେ ଥିବାରୁ ତାଙ୍କ ପାଇଁ ପୁନର୍ବାର ସ୍ଥାନ ପାଇବା କଷ୍ଟକର ହୋଇପଡ଼ିଥିଲା । ତେବେ ଜାଡେଜାଙ୍କ କ୍ୟାରିୟର ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ଏବଂ ଅକ୍ଷର ପଟେଲଙ୍କ ଫର୍ମକୁ ନେଇ ଚିନ୍ତା ଥିବାରୁ, ହର୍ଷଙ୍କ ଏଭଳି ଚମତ୍କାର ପ୍ରଦର୍ଶନ ଜାତୀୟ ଚୟନକର୍ତ୍ତାଙ୍କୁ ପୁଣିଥରେ ଚିନ୍ତା କରିବାକୁ ବାଧ୍ୟ କରିବ । ଆଘାତ ସମସ୍ୟାରୁ ମୁକୁଳି କ୍ରିକେଟ୍କୁ ଫେରିଥିବା ଏହି ଅଧିନାୟକ ଯଦି ନିଜର ଏହି ଧାରା ଜାଗେଇ ରଖନ୍ତି, ତେବେ ଖୁବ୍ ଶୀଘ୍ର ତାଙ୍କୁ ଟିମ୍ ଇଣ୍ଡିଆରେ ବଡ଼ ସୁଯୋଗ ମିଳିପାରେ ।
