ରନୱେରେ ହାଇଡ୍ରାମା: ମୁମ୍ବାଇ ଏୟାରପୋର୍ଟ ଟାରମାକ୍ରେ ଶୋଇଗଲେ ଅଭିନେତ୍ରୀ ବିଜୟ ଲକ୍ଷ୍ମୀ ମାଲ୍ୟା, ଜାଣନ୍ତୁ କାହିଁକି..
ମୁମ୍ବାଇ: ଅଭିନେତ୍ରୀ ବିଜୟ ଲକ୍ଷ୍ମୀ ମାଲ୍ୟା ମୁମ୍ବାଇ ବିମାନବନ୍ଦରର ଟାରମାକ୍ (ରନୱେ ନିକଟସ୍ଥ ଖୋଲା ସ୍ଥାନ) ଉପରେ ଶୋଇ ରହିବା ସହ ଏକ ଭିଡିଓ ସେୟାର କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣାଟି ନଭେମ୍ବର ୧ ରବିବାର ଦିନ ଘଟିଛି। ମୁମ୍ବାଇ-ଗୋରଖପୁର ସ୍ପାଇସ୍ଜେଟ୍ (SpiceJet) ବିମାନର ଯାତ୍ରୀମାନେ ସମ୍ମୁଖୀନ ହୋଇଥିବା ଦୁର୍ଦ୍ଦଶା ବିଷୟରେ ଅଭିନେତ୍ରୀ ବିଜୟ ଲକ୍ଷ୍ମୀ ମାଲ୍ୟା ଇନଷ୍ଟାଗ୍ରାମରେ ବର୍ଣ୍ଣନା କରିଛନ୍ତି।
ସୂଚନା ଅନୁସାରେ, ସ୍ପାଇସ୍ଜେଟ୍ (SpiceJet) ର ବିମାନ SG 553 ମୁମ୍ବାଇରୁ ଗୋରଖପୁର ଯିବାର ଥିଲା। ଦିନସାରା ଅନେକ ଥର ବିମାନ ଉଡାଣରେ ବିଳମ୍ବ ହେବା ପରେ ଯାତ୍ରୀମାନଙ୍କୁ ବିମାନ ଭିତରକୁ ବୋର୍ଡିଂ କରାଯାଇଥିଲା ଏବଂ ସୁରକ୍ଷା ସମ୍ବନ୍ଧୀୟ ସୂଚନା (Safety Briefing) ମଧ୍ୟ ଦିଆସରିଥିଲା। କିନ୍ତୁ ପ୍ରାୟ ଏକ ଘଣ୍ଟା କାଳ ଭିତରେ ବସାଇବା ପରେ ଶେଷ ମୁହୂର୍ତ୍ତରେ ଫ୍ଲାଇଟ୍ଟିକୁ ବାତିଲ କରିଦିଆଗଲା।
ବିମାନରୁ ଓହ୍ଲାଇବା ପରେ କୌଣସି ସଠିକ୍ ବ୍ୟବସ୍ଥା ନମିଳିବାରୁ ବିଜୟ ଲକ୍ଷ୍ମୀ ମାଲ୍ୟା ଏବଂ ଅନ୍ୟାନ୍ୟ ଯାତ୍ରୀମାନେ ଟାରମାକ୍ ଉପରେ ହିଁ ବସି ଓ ଶୋଇ ରହି ପ୍ରତିବାଦ କରିଥିଲେ। ଅଭିନେତ୍ରୀ ଜଣକ ଭିଡିଓ କରି କହିଥିଲେ, “ମୁଁ ଜୀବନରେ କେବେ ଭାବି ନଥିଲି ଯେ ଏମିତି ବିମାନ ତଳେ ମତେ ଶୋଇବାକୁ ପଡ଼ିବ”। ସ୍ପାଇସ୍ଜେଟ୍ ପକ୍ଷରୁ କୁହାଯାଇଛି ଯେ ଗୋରଖପୁର ବିମାନବନ୍ଦର ଏକ ପ୍ରତିରକ୍ଷା (Defence) ବିମାନବନ୍ଦର ହୋଇଥିବାରୁ ସେଠାରେ ରାତି ୯ଟା ପରେ ବିମାନ ଅବତରଣ ଉପରେ କଟକଣା ରହିଛି।
ବିମାନଟି ଅଧିକ ବିଳମ୍ବ ହୋଇଯିବାରୁ ସେଠାରେ ଅବତରଣ ସମୟ ମିଳିନଥିଲା, ଯେଉଁଥିପାଇଁ ଫ୍ଲାଇଟ୍ ବାତିଲ କରିବାକୁ ପଡ଼ିଲା। ପରଦିନ ଅର୍ଥାତ୍ ନଭେମ୍ବର ୨ ତାରିଖରେ ଯାତ୍ରୀମାନଙ୍କ ପାଇଁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଇଥିଲା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଏବଂ ସ୍ପାଇସ୍ଜେଟ୍ର ଏଭଳି ପରିଚାଳନାକୁ ନେଇ ସାଧାରଣରେ ତୀବ୍ର ସମାଲୋଚନା କରାଯାଉଛି।
