ଅଷ୍ଟ୍ରେଲିଆ: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଗ୍ଲେନ୍ ମାକ୍ସୱେଲ୍ । ଅଷ୍ଟ୍ରେଲିଆର ସଟ-ଫର୍ମ କ୍ରିକେଟ ତାରକା ତଥା ବିସ୍ଫୋରକ ବ୍ୟାଟର ନିଜ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଏହା ଏକ ଯୁଗର ଅନ୍ତ ବୋଲି ଚର୍ଚ୍ଚା ହେଉଛି । ୩୮ ବର୍ଷୀୟ ଏହି ଖେଲାଳି କେବଳ ଫ୍ରାଂଚାଇଜ୍ ମ୍ୟାଚ୍ ଖେଳିବେ ବୋଲି କହିଛନ୍ତି । ୨୦୨୫ରେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିଲେ । ହେଲେ ଏବେ ଅଷ୍ଟ୍ରେଲିଆର ଟି-୨୦ ଦଳ ଏବଂ ନିଜ ରାଜ୍ୟ ଦଳ ପାଇଁ ମଧ୍ୟ କ୍ରିକେଟରୁ ସମ୍ପୂଣ୍ଣ ର୍ ବିଦାୟ ନେଇଛନ୍ତି । ଚଳିତ ବର୍ଷ ଆରମ୍ଭରେ ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ମାକ୍ସୱେଲ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିଥିଲେ । ନିଜ କ୍ୟାରିଅରରେ ସେ ମୋଟ୍ ୧୩୦ ଟି ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ୨୮.୯୭ ହାରରେ ମୋଟ୍ ୨ହଜାର ୮୯୭ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ଷ୍ଟ୍ର୍ରାଇକ୍ ରେଟ୍ ଥିଲା ୧୫୪.୪୨ ପ୍ରତିଶତ । ଏହାଛଡା ୫୧ଟି ୱିକେଟ ନେଇଛନ୍ତି ଏବଂ ୬୨ଟି କ୍ୟାଚ୍ ଧରିଛନ୍ତି । ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ହେଉଛି ଅପରାଜିତ ୧୪୫ ରନ୍ । ଯାହା ସେ ୨୦୧୬ରେ ଶ୍ରୀଲଙ୍କା ବିପକ୍ଷରେ ହାସଲ କରିଥିଲେ ।
ଦେଶ ପାଇଁ ଖୁବ ଖେଳିବାର ସୁଯୋଗ ପାଇଥିବାରୁ ସେ ଗର୍ବିତ ବୋଲି କହିଛନ୍ତି । ୨୦୦୯ରେ ଅଷ୍ଟ୍ରେଲିଆ ଟିମରେ ସାମିଲ ହୋଇ ଖେଳ ଆରମ୍ଭ କିରଥିଲେ ଗ୍ଲେନ୍ । ମାକ୍ସୱେଲ୍ ଅଷ୍ଟ୍ରେଲିଆ ପାଇଁ ୭ଟି ଟେଷ୍ଟ, ୧୪୯ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଏହାଛଡା ଭିକ୍ଟୋରିଆ ଦଳ ସହ ତାଙ୍କର ଫାଷ୍ଟ କ୍ଲାସ୍ ଓ ଲିଷ୍ଟ-ଏ କ୍ୟାରିଅର ବେଶ ସମୃଦ୍ଧ ଥିଲା ବୋଲି କହିଛନ୍ତି । ଆଗାମୀ ବିଗ୍ ବସ୍ ଲିଗରେ ମେଲବର୍ଣ୍ଣ ଷ୍ଟାର୍ସ ପାଇଁ ଖେଳିବା ସହ ଆଗକୁ ମଧ୍ୟ ବିଭିନ୍ନ ଲିଗ୍ ମ୍ୟାଚ୍ ଖେଳିବେ ବୋଲି କହିଛନ୍ତି ।
