ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । ପୋଲିସ ଘଟଣାରେ ସମ୍ପୃକ୍ତ ଗ୍ୟାଙ୍ଗର ମୋଟ ୧୨ଜଣଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୫୦୦ ଗ୍ରାମ ସୁନା ଏବଂ ୧୧ କିଲୋଗ୍ରାମ ରୁପା ଅଳଙ୍କାର ଜବତ କରିଛି ।
ଜବତ ହୋଇଥିବା ସୁନା ଅଳଙ୍କାର ମଧ୍ୟରେ ହାର, ଚେନ, କାନ ଫୁଲ, ଚୁଡ଼ି, ମୁଦି ରହିଛି। ସେହିପରି ରୂପା ଅଳଙ୍କାର ମଧ୍ୟରେ ଗୋଡ ପାଉଁଜି, ଝୁଣ୍ଟିଆ, ରୂପା ଥଳିଆ, ଗ୍ଲାସ୍ ଇତ୍ୟାଦି ରହିଛି। ଯାହାର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ କୁହୁଡ଼ି ଚୁଆଟାଙ୍ଗୀ ଅଞ୍ଚଳର ରାଜୁ ପ୍ରଧାନ, ତୋଫାନ ସିକାରୀ ଓ ବାନୀ ଓରଫ ବାଣୀ ପ୍ରଧାନ। ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅଞ୍ଚଳର ଜଳନ୍ଧର ପାତ୍ର, ଶିବ ପାତ୍ର ଓ ସାଗର ପାତ୍ର। ଏହାସହ ବାଲୁଗାଁ ଥାନା ଅଞ୍ଚଳର କହ୍ନା ସିକାରୀ, ବାଣପୁର ଥାନା ଅଞ୍ଚଳର ଗୋପାଳ ସିକାରୀ, ନାଚୁଣୀ ଥାନା ଅଞ୍ଚଳର ଅଜୟ ପ୍ରଧାନ ଓ ସଞ୍ଜୟ ପ୍ରଧାନ ଏବଂ ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଏନ୍. ରାଜେଶ ।
ସୂଚନାମୁତାବକ, ଗତ ୨ମାସ ଧରି ଖୋର୍ଦ୍ଧା ଜିଲ୍ଲା ବାଣପୁର, ବାଲୁଗାଁ, ଟାଙ୍ଗୀ,ନାଚୁଣୀ , ଚାନ୍ଦପୁର ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ସିରିଜ୍ ଭାବେ ସୁନା ଏବଂ ରୂପା ଅଳଙ୍କାର ଲୁଟ୍ ହେଉଥିବା ଅଭିଯୋଗ ହୋଇଥିଲା । ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ନିର୍ଦ୍ଦେଶରେ ବାଲୁଗାଁ ଏସଡିପିଓ ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୨ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ ମାମଲା ରହିଛି କି ନାହିଁ ପୋଲିସ ତଦନ୍ତ ଚଳାଇଛି ବୋଲି ଏସପି ସୂଚନା ଦେଇଛନ୍ତି।
